ଆସିକା,୩/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ଗୁଣ୍ଠପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଭାରତ ଦେଶର ପ୍ରଥମ ମହିଳା ଶିକ୍ଷୟତ୍ରୀ ତଥା କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସାହୁଙ୍କ ତତ୍ୱାବାଧାନରେ ହୋଇଥିବା ବେଳେ ସହକାରୀ ଶିକ୍ଷକ ପାଣ୍ଡବ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ବନୀତା କୁମାରୀ ବେହେରା, ବବିତା ପାତ୍ର, ବନଲତା ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସାବିତ୍ରୀ ବାଇ ଫୁଲେ ୧୮୩୧ ମସିହା ୩ ଜାନୁୟାରୀ ମହାରାଷ୍ଟ୍ର ସାତରା ଜିଲ୍ଲାର ନଇଗାଁଓ ଗ୍ରାମରେ ଏକ ମାଳି (ଶୁଦ୍ର)ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବ୍ରିଟିଶ ଶାସିତ ଭାରତରେ ସେ ପ୍ରଥମ ମହିଳା ଶିକ୍ଷିକା ଥିଲେ । ସେ କେବଳ ଶିକ୍ଷିକା ହିଁ ନଥିଲେ, ସେ ଥିଲେ ଜଣେ ସମାଜସେବୀ ଓ ନାରୀ ମୁକ୍ତିର ଅନ୍ୟତମ ଦିଶାରୀ । ସେତେବେଳେ ଜାତି ଭେଦ, ବାଲ୍ୟ ବିବାହ, ସତୀଦାହ ଆଦି ସାମାଜିକ ବେମାରୀ ଭାରତୀୟ ସମାଜକୁ କବଳିତ କରି ରଖିଥିଲା । ମାତ୍ର ୯ ବର୍ଷ ବୟସରେ ତାଙ୍କର ବିବାହ ୧୩ ବର୍ଷିୟା ଜ୍ୟୋତିବା ଫୁଲେଙ୍କ ସହ ହୋଇଥିଲା । ସେହି ଛୋଟ ବୟସରେ ତାଙ୍କର ଶିକ୍ଷା ଲାଭ ପାଇଁ ବହୁତ ଆଗ୍ରହ ରହିଥିଲା । ସେହି ସମୟରେ ଅସବର୍ଣ୍ଣ ଓ ମହିଳାଙ୍କ କ୍ଷେତ୍ରରେ ଶିକ୍ଷାଲାଭ କରିବା ଏତେ ସହଜ ନଥିଲା । ମହାରାଷ୍ଟ୍ରରେ ପେଶାୱା ମାନଙ୍କ ଶାସନରେ କେବଳ ଉଚ୍ଚ ବର୍ଣ୍ଣ ଲୋକ ମାନେ ହିଁ ଶିକ୍ଷା ଲାଭ କରୁଥିଲେ । ସେମାନଙ୍କୁ ଛାଡି ଦେଲେ ସମାଜରେ ଦଳିତ, ଶୁଦ୍ର ଏପରିକି ନାରୀ ମାନେ ବି ଶିକ୍ଷା ଲାଭରୁ ଏକରକମ ବଞ୍ଚିତ ଥିଲେ ।
ବିବାହ ପରେ ସାବିତ୍ରୀବାଇ ସ୍ୱାମୀ ଜ୍ୟୋତିବାଙ୍କ ପ୍ରେରଣାରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଏହାପରେ ସେ ହାତ ଗଣତି କିଛି ଶିଶୁଙ୍କୁ ନେଇ ଏକ ବିଦ୍ୟାଳୟ ଖୋଲିଥିଲେ । ଏଥିପାଇଁ ତାଙ୍କୁ ଅନେକ ପ୍ରତିବନ୍ଧକରେ ଶିକାର ହେବାକୁ ପଡିଥିଲା । ଶୁଦ୍ର ଓ ମହିଳା ମାନଙ୍କୁ ପାଠ ପଢାଉଥିବାରୁ ଉଚ୍ଚ ବର୍ଣ୍ଣର ଲୋକ ମାନେ ତାଙ୍କୁ ଉଭୟ ମାନସିକ ଓ ଶାରୀରିକ ନିର୍ଯ୍ୟାତନ ଦେଉଥିଲେ । ସମାଜରେ ଜାତିଭେଦ. ଅସ୍ପୃଶ୍ୟତା ଆଦି ଦୂର କରିବା ପାଇଁ ନିଜର ଜୀବନସାଥୀ ଜ୍ୟୋତିବା ଫୁଲେଙ୍କ ସହ ମିଶି ସତ୍ୟସୋଧକ ସମାଜ ଗଠନ କରିଥିଲେ । ତାରି ବ୍ୟାନର ତଳେ ସେ ଗାଁ ଗାଁ ବୁଲି ଜାତିଭେଦ ବିରୁଦ୍ଧରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବାରେ ଲାଗିଥିଲେ ।
ସେ ଶିକ୍ଷାଦାନ ବ୍ୟତୀତ ସମାଜସେବାରେ ବି ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ । ନିଜର ଜୀବନକୁ ବାଜି ଲଗାଇ ସେ ମହାମାରୀ ପିଡୀତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଅନ୍ୟର ସେବା କରୁ କରୁ ଗୋଟିଏ ସମୟରେ ସେ ନିଜେ ସେଥିରେ ଆକ୍ରାନ୍ତ ହୋଇପଡିଥିଲେ । ୧୮୯୭ ମସିହା ମାର୍ଚ୍ଚ ୨୦ ତାରିଖରେ ସେ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇ ଶେଷରେ ପ୍ରାଣବାୟୁ ଛାଡିଥିଲେ ବୋଲି ସଭାରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସାବିତ୍ରୀବାଇ ଫୁଲେଙ୍କ ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।