ଧୋକାବାଜ ପତିଙ୍କୁ କାହିଁକି ଛାଡ଼ିପାରନ୍ତି ନାହିଁ ପତ୍ନୀ

0 533

ମହିଳାଙ୍କ ପାଇଁ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଜଣେ ପୁରୁଷଙ୍କୁ ବାହା ହୋଇଗଲା ପରେ ସେମାନେ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇଯାଆନ୍ତି। ସାରା ଜୀବନ ନିଜ ପତିଙ୍କ ସହ ରହିବାକୁ ଚାହାନ୍ତି। ଦୁର୍ଭାଗ୍ୟବଶତଃ କେତେକ ବ୍ୟକ୍ତି ସେମାନଙ୍କ ପତ୍ନୀଙ୍କୁ ଧୋକା ଦେଇଥାନ୍ତି। ତଥାପି ସେମାନେ ନିଜ ପତିଙ୍କଠାରୁ ସମ୍ପର୍କ ଛିନ୍ନ କରି ପାରି ନ ଥାନ୍ତି। ତେବେ ଚାଲନ୍ତୁ ଜାଣିବା ଧୋକା ଦେବା ପରେ ମଧ୍ୟ କାହିଁକି ପତିଙ୍କୁ ଛାଡ଼ି ପାରନ୍ତି ନାହିଁ ପତ୍ନୀ।

ଦ୍ବିତୀୟ ସୁଯୋଗ ଦେବା
ଧୋକା ପାଇବା ପରେ ପତ୍ନୀ ଭାବନ୍ତି ଯେ ସମସ୍ତଙ୍କୁ ଦ୍ବିତୀୟ ସୁଯୋଗ ମିଳିବା ଦରକାର। ଯାହାଫଳରେ ସେମାନେ ପୂର୍ବଭଳି ପୁଣି ଥରେ ନୂଆ ସମ୍ପର୍କ ଆରମ୍ଭ କରିପାରିବେ। ତାଙ୍କ ପତି ବଦଳି ଯାଇ ପୁଣିଥରେ ଭଲ ମଣିଷ ପାଲଟିଯିବେ ଭାବି ପତ୍ନୀ ନିଜ ଧୋକାବାଜ ପତିଙ୍କୁ ଛାଡ଼ି ପାରି ନ ଥାନ୍ତି।

ଭବିଷ୍ୟତକୁ ନେଇ ଡର
ଧୋକା ଖାଇଥିବା ପତ୍ନୀ ଭାବନ୍ତି ଯଦି ତାଙ୍କୁ ତାଙ୍କ ପତି ଛାଡ଼ି ଦିଅନ୍ତି, ତେବେ ସେ କୁଆଡ଼େ ଯିବେ? କ’ଣ କରିବେ? ଧୋକାବାଜ ଓ ଅଭଦ୍ର ଆଚରଣ ପ୍ରଦର୍ଶନ କରୁଥିବା ପତିଙ୍କୁ ଛାଡ଼ି ଆସିଥିବା ଝିଅକୁ  ଅନେକ ଶିକ୍ଷିତ ପରିବାରର ଲୋକେ ମଧ୍ୟ ସାଥ୍‌ ଦେଇ ନ ଥାନ୍ତି। କାରଣ ସେମାନଙ୍କୁ ଡର ଲାଗେ ସମାଜ କ’ଣ କହିବ। ତେଣୁ ବାଧ୍ୟରେ ପତ୍ନୀଟି ନିଜ ଧୋକାବାଜ ପତି ସହିତ ରହିଥାଏ।

ସମାଜ ଆଗରେ ଖରାପ ହେବାକୁ ଚାହାନ୍ତି ନାହିଁ
ବାହା ହୋଇଗଲା ପରେ ନାରୀଟି ନିଜ ପରିବାର ଓ ସମାଜ ଆଗରେ ଉତ୍ତମ ବୋହୂର ମର୍ଯ୍ୟଦା ପାଇବାକୁ ଚାହେଁ। ସମାଜ ତାଙ୍କୁ ଖରାପ କହୁ ଏକଥା ସେ ବରଦାସ୍ତ କରିପାରନ୍ତି ନାହିଁ। ନାରୀଟିଏ ଭାବେ ଧୋକାବାଜ ପତିଙ୍କୁ ନିଜ ପ୍ରେମ ବଳରେ ପୁଣିଥରେ ବଦଳାଇ ପାରିବେ। ତେଣୁ ସେ ପତିଙ୍କ ଭୁଲ୍‌କୁ କ୍ଷମା କରିଦିଅନ୍ତି।

ଆତ୍ମବିଶ୍ବାସର ଅଭାବ
କେତେକ ମହିଳାଙ୍କ କ୍ଷେତ୍ରରେ ଆତ୍ମବିଶ୍ବାସ ଓ ଆତ୍ମସମ୍ମାନର ଅଭାବ ରହିଥାଏ। ସମାଜରେ ଚାଲିଥିବା ପରମ୍ପରାବାଦୀ ସଂସ୍କୃତି ଭିତରେ ସେ ନିଜକୁ ଏକୁଟିଆ ଅନୁଭବ କରନ୍ତି। ଏଣୁ କାଳେ ନିଜ ସ୍ବାମୀଙ୍କ ବିନା ସେମାନେ ଘର ସଂସାର ଚଳାଇ ପାରିବେ ନାହିଁ ବୋଲି ଭାବି ଧୋକାବାଜ ପତିଙ୍କୁ ଛାଡ଼ି ପାରନ୍ତି ନାହିଁ।

ପିଲାଙ୍କ ଭବିଷ୍ୟତ ପାଇଁ ଚୁପ୍‌ ରହନ୍ତି

ଧୋକାବାଜ ପତିଙ୍କୁ ଛାଡ଼ିବା ପୂର୍ବରୁ ମହିଳାମାନେ ଭାବନ୍ତି ପିଲାମାନଙ୍କ ଭବିଷ୍ୟତ କ’ଣ ହେବ। ସେମାନେ ବଡ଼ ହେଉଛନ୍ତି। ହୁଏତ ପତିଙ୍କୁ ଛାଡ଼ିବାର ନିଷ୍ପତ୍ତି ପିଲାଙ୍କୁ ପ୍ରଭାବିତ କରିପାରେ। ଯାହାଫଳରେ ନାରୀଟିର ପାଦ ପଛକୁ ହଟିଯାଏ।

ନିଜକୁ ଦୋଷୀ ମନେକରେନ୍ତି
ତାଙ୍କ ସାଙ୍ଗରେ ଏପରି ହୋଇଛି ବୋଲି ଧୋକା ଖାଇଥିବା ପତ୍ନୀ ବିଶ୍ବାସ କରି ପାରନ୍ତି ନାହିଁ। ସେ ନିଜକୁ ଦୋଷ ଦେବାରେ ଲାଗନ୍ତି। ପତିଙ୍କ ଧୋକା ପାଇଁ ସେ ନିଜକୁ ଦାୟୀ କରନ୍ତି।

ପ୍ରେମ ଜିତିବ ବୋଲି ଭାବନ୍ତି
ପତ୍ନୀ ଭାବନ୍ତି ଯେ ତାଙ୍କ ପ୍ରେମ ନିଶ୍ଚେ ଜିତିବ। ପତି କାହିଁକି ଧୋକା ଦେଲେ ତାହା ସେ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଭାବନ୍ତି ଦିନେ ନା ଦିନେ ପତି ତାଙ୍କ ପ୍ରେମକୁ ବୁଝିପାରିବେ। ପୁଣିଥରେ ସେମାନଙ୍କ ସମ୍ପର୍କ ପୂର୍ବଭଳି ଚାଲିବ।

Leave A Reply

Your email address will not be published.