କରୋନାର କଷ୍ଟ ଭିତରେ ଗ୍ରାହକ ଆଉ ବ୍ୟବସାୟୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଓଡ଼ିଶା ସମେତ ଦେଶବ୍ୟାପି କୋହଳ ହେଲା ଦୋକାନ ଖୋଲିବା କଟକଣା । ଆଜିଠାରୁ ସବୁ ଦୋକାନ୍ ଖୋଲିବା ପାଇଁ ଗୃହ ମନ୍ତ୍ରାଳୟର ଗ୍ରୀନ୍ ସିଗ୍ନାଲ ପରେ ରାଜ୍ୟ ସରକାର ଦେଇଛନ୍ତି ସର୍ତ୍ତମୂଳକ ଅନୁମତି ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କେଉଁ ଅଞ୍ଚଳର ଦୋକାନ ଖୋଲାଯିବ, ସେନେଇ ଦର୍ଶାଯାଇଛି । ତା’ସହ କେଉଁ ଦୋକାନ ସବୁ ଖୋଲାଯିବ ତାହା ମହାନଗର କମିଶନର ଏବଂ ଜିଲ୍ଲାପାଳ ମାନେ ହିଁ ଚୁଡାନ୍ତ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରାଯାଇଛି । ତେବେ ସେଲୁନ୍ ଏବଂ ମଦ ଦୋକାନ କିନ୍ତୁ ପୂର୍ବପରି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । …

ସେପଟେ ଜିଲ୍ଲାରେ କେଉଁ ଦୋକାନ ଖୋଲାଯିବ, କେଉଁ ଦୋକାନ ବନ୍ଦ ରହିବ, ସେନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ନିଜ ଜିଲ୍ଲା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗଂଜାମ ଜିଲ୍ଲାପାଳ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ ।

ତାସହ ସମସ୍ତ ଅନୁମତି ପ୍ରାପ୍ତ କିମ୍ବା ପଞ୍ଜିକୃତ ଦୋକାନ ଗୁଡ଼ିକ ସକାଳ ୭ରୁ ଅପରାହ୍ନ ୧୨ଟା ଯାଏଁ ଖୋଲା ରଖିବାକୁ ଗଂଜାମ ଜିଲ୍ଲାପାଳ ନିଷତ୍ତି ନେଇଛନ୍ତି । କିନ୍ତୁ ସୋସିଆଲ୍ ଡିଷ୍ଟାନ୍ସିଂ ପାଳନ କରିବାକୁ ବାଧ୍ୟ କରାଯାଇଛି । ତେବେ ଚା ଦୋକାନ୍, ଫୁଡ ଷ୍ଟଲ, ଫାଷ୍ଟଫୁଡ୍, ଅନୁମତି ପାଇନଥିବା ହୋଟେଲ୍, ଜୁଏଲାରି ଦୋକାନ, ବୁ୍ୟଟି ପାର୍ଲର, ସାଲୁନ, ଜିମ୍, କପଡ଼ା ବଜାର, ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଦୋକାନ ଆଦି ବନ୍ଦ ରଖିବାକୁ ଗଂଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି ।

ଆଇନ ଉଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ ଏବଂ କୋଭିଡ-୧୯ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଗଂଜାମ ଜିଲ୍ଲାପାଳ । ତେବେ ବରିଷ୍ଠ ନାଗରିକ ଏବଂ ଶିଶୁଙ୍କୁ ବାହାରକୁ ବାହାରିବାକୁ ନିଷେଧ କରାଯାଇଛି ଗଂଜାମ ଜିଲ୍ଲାରେ ।