ଯାଜପୁରରେ ହୁତୁ ହୁତୁ ହେଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପଶ୍ଚିମବଙ୍ଗ ଫେରନ୍ତା ବଢ଼ାଇଛି ଚିନ୍ତା…

1 883

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଏବଂ ଏବେ ଯାଜପୁର ଜିଲ୍ଲା ଏହାକୁ ନେଇ ରେକର୍ଡ ଭାଙ୍ଗିଛି । ଭୁବନେଶ୍ୱର ରେ କରୋନା ସ୍ଥିତି କିଛି ମାତ୍ରାରେ ଥମି ଥିବା ବେଳେ ବର୍ତ୍ତମାନ ଯାଜପୁର ଜିଲ୍ଲାରେ ଏହି ଭୂତାଣୁ ହୁତୁ ହୁତୁ ହୋଇ ଲୋକଙ୍କୁ ଗ୍ରାସିବାରେ ଲାଗିଛି । ଆଉ ଏଥିପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ହିଁ କରୋନା ଭୂତାଣୁ ର ଶିକାର ହେଉଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଆଜି ଗୋଟିଏ ଦିନରେ ଯାଜପୁର ଜିଲ୍ଲାରେ 7 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସକାଳେ 5ଟି କେଶ ବାହାରିଥିବା ବେଳେ ଆଜି ଅପରାହ୍ନ ରେ ଆହୁରି 2ଟି ନୂଆ ପଜିଟିଭ କେଶ ବାହାରିଛି । ଆଉ ଯାଞ୍ଚ ବେଳେ ସମସ୍ତ ଆକ୍ରାନ୍ତ କୋଲକାତାରୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଯାହା ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ାଇଛି । ଏବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 47ରେ ପହଁଚିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 156କୁ ବୃଦ୍ଧି ପାଇଛି ।

ସେପଟେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକମାନେ ସେମାନଙ୍କ ଗସ୍ତ ସମ୍ପର୍କରେ ନ ଲୁଚାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି । ସେମାନେ ନମୁନା ପରୀକ୍ଷା ପାଇଁ ଆସିବାକୁ କୁହାଯାଇଛି ।

ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତିମାନେ ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନେ କରୋନା ଦ୍ୱାରା ସଂକ୍ରମଣ ହୋଇ ପାରିଥାନ୍ତି । ଏହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ତେଣୁ ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତିମାନେ ହୋମ୍‌ ଆଇସୋଲେସନରେ ରହିବା ସହ ସ୍ଥାନୀୟ ବିଡିଓ, ତହସିଲଦାର କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ହେଲ୍‌ପ୍‌ଲାଇନ୍‌ ନମ୍ବର ୧୦୪, ୨୪ ଘଣ୍ଟା ଖୋଲା ରହିଛି । ଯଦି ସେମାନଙ୍କଠାରେ ଥଣ୍ଡା ଓ କାଶର ଲକ୍ଷଣ ଅନୁଭୂତ ହେଉଥାଏ ତେବେ ଡାକ୍ତରୀ ପରାମର୍ଶ ପାଇଁ ୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଏପଟେ ଯାଜପୁରରେ ଗତକାଲି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ତାଙ୍କ ଘର ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ପୂର୍ବରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା । ସେହିଦିନ ଦିନକରେ ୪ କରୋନା ଆକ୍ରାନ୍ତ କେବଳ ଯାଜପୁରରେ ଚିହ୍ନଟ ହୋଇଥିଲା । ଏହି ସମସ୍ତ ବ୍ୟକ୍ତି କୋଲକାତାରୁ ଫେରିଥିଲେ ।

ଏହାର ଗୋଟେ ଦିନ ପୂର୍ବରୁ ଯାଜପୁରରେ 3 କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ସେମାନେ ମଧ୍ୟ କୋଲକାତାରୁ ଫେରିଥିଲେ । ସେତେବେଳେ ଯାଜପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ୩୯ ଛୁଇଁଥିଲା ।

1 Comment

Leave A Reply

Your email address will not be published.