ସମାଲୋଚନା ସହିପାରିଲେନି କେନ୍ଦ୍ରାପଡ଼ା ସାଂସଦ; ଅମିତାଭଙ୍କୁ ବ୍ଲକ କଲେ ଅନୁଭବ…

0 1,067

ରାଗିଗଲେ କେନ୍ଦ୍ରାପଡ଼ା ସାଂସଦ ଆଉ ରାଗ ତମ ମତ ହୋଇ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଫେସବୁକ୍ ରୁ ବ୍ଲକ କରିଦେଲେ । ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତି ଏକ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଓଟିଭିକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ସାଂସଦ ଅନୁଭବ ମହାନ୍ତିଙ୍କ ଉକ୍ତ ପୋଷ୍ଟକୁ ନେଇ ସାମ୍ବାଦିକ ସବ୍ୟସାଚୀ ଅମିତାଭ ମଧ୍ୟ ଏକ ସମାଲୋଚନାମୂଳକ ପ୍ରତିକ୍ରିୟା ଦେଇଥିଲେ ।

ହେଲେ ଏଥିରେ କ୍ଷୁବ୍ଧ ହୋଇ ସାଂସଦ ଅନୁଭବ ତାଙ୍କୁ ଫେସବୁକ୍ ରୁ ବ୍ଲକ କରିଦେଇଥିବା କଥା ଆଜି ଅନ୍ୟ ଏକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ନିଜେ ସାମ୍ବାଦିକ ସବ୍ୟସାଚୀ ଅମିତାଭ ।

ଗତକାଲି ସାଂସଦ ଅନୁଭବ ମହାନ୍ତି ଏକ ପୋଷ୍ଟ କରିଥିଲେ ଯାହାର ସାରକଥା ଥିଲା “ମତେ ବିଶ୍ୱାସ କର ମୁଁ ସଚ୍ଚୋଟ ଅଟେ, ଓଡିଶା ର ସବୁଠାରୁ ଖରାପ ଚ୍ୟାନେଲ ଓଟିଭି”!

ଅନୁଭବଙ୍କ ଏହି ପୋଷ୍ଟ ଉପରେ ସବ୍ୟସାଚୀ ଅମିତାଭ ଲେଖିଲେ, ପ୍ରଥମ କଥା ହେଲା, ଆପଣଙ୍କୁ ଜଣେ କାହିଁକି ବିଶ୍ଵାସ କରିବ, ଆପଣ କିଏ ? ଆପଣ ନିଜ ଦାୟିତ୍ଵ ଠିକ୍ ଭାବେ ତୁଲାଇଛନ୍ତି କି ? ଖାଲି କଥା କହିଦେଲେ ହୁଏନି, ଉତ୍ତରଦାୟିତ୍ଵ ବୋଲି ଗୋଟେ ଜିନିଷ ଅଛି, ଯେଉଁଟା ଆପଣ ବୁଝିପାରିବେନି । ରାଜନଗର ହଟିନା ଗାଁର ପ୍ରଶାନ୍ତ ପ୍ରଧାନକୁ କେବେ ସମୟ ହେଲେ ଭେଟିବେ, ଉତ୍ତରଦାୟିତ୍ଵ କଣ ସେ ଆପଣଙ୍କୁ ବୁଝେଇଦେବେ!

ଦ୍ଵିତୀୟ କଥା ହେଲା, ଅନ୍ୟକୁ ପରାମର୍ଶ ନଦେଇ ବରଂ ସେ ଖରାପ ଚ୍ୟାନେଲରୁ ଅତୀତରେ ଆପଣ ପାଇଥିବା ପ୍ରତିଟି ଅର୍ଥରାଶି ଫେରସ୍ତ କରିଦେଇ ଗୋଟେ ନୂଆ ଉଦାହରଣ କରନ୍ତୁ । କରି ପାରିବେ କି ? ଆପଣ କଣ କହିବା ଦରକାର ନାହିଁ, ହଁ .. ଓଡ଼ିଆ ଲୋକମାନେ ଟିକେ ଭାବପ୍ରବଣ, କିନ୍ତୁ ପଣ୍ଡା ଓଲୁ ନୁହନ୍ତି ! ତୃତୀୟ କଥା, ଆପଣଂକ ଇଂରାଜୀ ଜ୍ଞାନ ଦୁର୍ବଳ, ଵରଂ ଓଡ଼ିଆରେ ଲେଖନ୍ତୁ, କିଛି ଅସୁବିଧା ନାହିଁ !

ଏହା ପରେ ସେ ପୁଣି ଏକ ପୋଷ୍ଟ କରିଛନ୍ତି, ଯେଉଥିରେ ସେ ଏହି କଥା ଉଲ୍ଲେଖ କରିଛନ୍ତି ‘ଅନୁଭବ ବାବୁଙ୍କୁ ମୋ କଥାଟି ଏକଦମ୍ ଖରାପ ଲାଗିଛି । ସେଥିପାଇଁ କାଲି ରାତିରେ ମତେ ବ୍ଲକ୍ କରିଦେଇଛନ୍ତି । ନୋ ଇସ୍ୟୁଜ୍ , କିନ୍ତୁ ବାବୁ, ଗୋଟିଏ କଥା ମନେ ରଖିବେ କ୍ଷମତା ଆଜି ଅଛି କାଲି ନ ଥିବ । ଲୋକଂକ କଥା ଶୁଣନ୍ତୁ, ସେମାନଂକ ପାଇଁ କାମ କରନ୍ତୁ ।

ରାଜନୀତିରେ ଅନେକ ପୁରୁଣା ଉଦାହରଣ ସବୁ ଅଛି, ଆପଣ ଜାଣିନଥିବେ, ମୁମ୍ବାଇ ନର୍ଥରୁ ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ବି କଂଗ୍ରେସରୁ ଏମପି ହୋଇଥିଲେ, ମାତ୍ର ବର୍ଷ କେଇଟାରେ ତାଙ୍କର ରାଜନୈତିକ କ୍ୟାରିଅରରେ ଫୁଲଷ୍ଟପ୍ ଲାଗିଥିଲା, କାହିଁକି ଜାଣନ୍ତି, ସେ ଲୋକଂକ ଆସ୍ଥାଭାଜନ ହୋଇପାରିନଥିଲେ । ଏ ଯେଉଁ ଆସ୍ଥାଟି ସେଇଟି ବଡ଼ ଜଟିଳ ଜିନିଷଟେ ।

ଠିକ୍ ଯେମିତି, ଆପଣଙ୍କ ଷ୍ଟାରଡମ୍ ଅବା ସିକ୍ସ ପ୍ୟାକ୍ ବା ବାଇସେପକୁ ଦେଖିକି ନୁହେଁ ବରଂ ନବୀନ ବାବୁଂକ କଥାକୁ ଆସ୍ଥା କରି କେନ୍ଦ୍ରାପଡାବାସୀ ଆପଣଙ୍କୁ ଭୋଟ ଦେଇଥିଲେ । ଗଣତନ୍ତ୍ରରେ କାଲି ଦାମ-ଶାମ-ହରି ବି ସାଂସଦ ହେଇପାରିବେ, କିନ୍ତୁ ଲୋକେ ଭବାନୀ ଶଙ୍କର ହୋତା ଅବା ଖାରବେଳ ସ୍ବାଇଁଙ୍କ ପରି ବ୍ୟକ୍ତିତ୍ବଙ୍କୁ ହିଁ ମନେରଖିବେ ।

ଏ ବ୍ୟକ୍ତି ଦୁଇଜଣ କିଏ ଆପଣ ଜାଣିନଥିବେ । ଛାଡନ୍ତୁ ସେ କଥା। ବିଜେଡିର ମୂଳମନ୍ତ୍ର ପରା ଲୋକେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ତେଣୁ ସମାଲୋଚନା ସହିବାର ସାହାସ ଓଶକ୍ତି ତିଆରି କରନ୍ତୁ, ଆଗାମୀ ଇତିହାସ ପାଇଁ ନକରାତ୍ମକ ଉଦାହରଣ ହୁଅନ୍ତୁନି’ । ପୂର୍ବରୁ ଅନେକ ବାର ଏମିତି ବିବାଦୀୟ ପୋଷ୍ଟ, ଟ୍ୱିଟ୍ କରି ସମାଲୋଚିତ ହୋଇସାରିଛନ୍ତି ଏବଂ ଅପମାନିତ ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.