କରୋନାକୁ ଡରନା: ଆଜି ହିଁ ଛାଡନ୍ତୁ ଏହି ସବୁ ଅଭ୍ୟାସ

0 626

ଶୁଣା କଥା ବ୍ୟୁରୋ: ଆପଣ ଜାଣନ୍ତି! ମୁହଁରେ ମୁଖ୍ୟତଃ ଆଖି, ନାକ ଓ ପାଟିରେ ବାରମ୍ୱାର ହାତ ମାରିବା ଆମ ଅଭ୍ୟାସ । ଆଉ ଏହାକୁ ନେଇ ଆଜିର ଏହି ପ୍ରସ୍ତୁତି । ଅଧିକ ତଥ୍ୟ ପାଇଁ ଆମେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାର ସୁନାମଧନ୍ୟ ମିଡିଆ ଏକାଡେିସିଆନ ଡକ୍ଟର ପ୍ରଦୀମ ମହାପାତ୍ର ଙ୍କ ଗଠନ ମୂଳକ ଆଲେଖ୍ୟ କୁ ଅନୁସରଣ କରିଛୁ ।

କରୋନାର ଭୟବହତା ନେଇ ଆପଣ ଜାଣିଛନ୍ତି । ଏବେ ଏ ସମ୍ପର୍କରେ ଅଧିକ କିଛି କିନ୍ତୁ ଆମେ ଏହାକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ପ୍ରସଙ୍ଗକୁ ଅଧିକ ପ୍ରାଧାନ୍ୟ ଦେଇଛୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ‘କୋଭିଡ଼-୧୯’ ନାମିତ କରାଯାଇଛି । ଏହା ସାଧାରଣତଃ ଆମଦେଶରେ ବର୍ଷା ଓ ଶୀତ ଋତୁରେ ଦେଖାଦେଉଥିବା ଫ୍ଲୁ ରୋଗ ପର୍ଯ୍ୟାୟଭୁକ୍ତ ।

ପ୍ରତିବର୍ଷ ବିଶ୍ୱବ୍ୟାପୀ କୋଟି କୋଟି ଲୋକ ଫ୍ଳୁ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଗବେଷକମାନଙ୍କ ମତରେ ସଂଭବତଃ କୌଣସି ପଶୁପକ୍ଷୀଙ୍କ ଶରୀରରୁ ମନୁଷ୍ୟ ଶରୀରକୁ କରୋନା ଭୂତାଣୁ ସଂକ୍ରମିତ ହୋଇଛି । ସାଧାରଣ ଫ୍ଲୁ ଭୂତାଣୁ ସଂପର୍କରେ ଚିକିତ୍ସକମାନେ ଅବଗତ ଥିବା ସ୍ଥଳେ କରୋନା ଭୂତାଣୁ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ । ଏହି କାରଣରୁ ଚିକିତ୍ସା କିମ୍ୱା ପ୍ରତିଷେଧକ ବ୍ୟବସ୍ଥା ସଂଭବପର ହୋଇପାରୁ ନାହିଁ । ଅପରପକ୍ଷରେ ସାଧାରଣ ଫ୍ଳୁରେ ମୃତ୍ୟୁ ସଂଖ୍ୟା ମାତ୍ର ୦.୧ ପ୍ରତିଶତ ଥିବା ସ୍ଥଳେ ‘କୋଭିଡ଼-୧୯’ରେ ୩.୪ ପ୍ରତିଶତ ଗଣନା କରାଯାଉଛି ।

କରୋନା ଭୂତାଣୁ ମନୁଷ୍ୟଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ସ୍ଥଳେ ଗୁଜବ ଉଭୟ ପାରମ୍ପରିକ ଓ ସାମାଜିକ ଗଣମାଧ୍ୟମକୁ ଆଶ୍ରୟ କରିଛି । ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚ଼େତନତା ଓ ଚିକିତ୍ସା ଭିତ୍ତିଭୂମି ଦୁର୍ବଳ । ଅପରପକ୍ଷେ ଆମ ଦେଶରେ ୫୨ କୋଟି ସ୍ମାର୍ଟଫୋନ ଉପଭୋକ୍ତା ଏବଂ ପ୍ରତି ତିନିଜଣ ଉପଭୋକ୍ତାଙ୍କ ମଧ୍ୟରେ ଦୁଇଜଣ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ହିସାବ କରାଯାଏ । କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଗୁଜବ ପ୍ରସାର ୨୦୨୦ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାମାଜିକସ୍ତରରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ଅନୁଭବ କରାଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶିଳ୍ପଉପଯୋଗୀ ମଦ୍ୟ ମିଶ୍ରିତ ସାବୁନ ଓ ଜେଲରେ ହାତ ସଫାକଲେ ଭୂତାଣୁ ସଂକ୍ରମଣ ରୋକାଯାଇପାରେ ବୋଲି ନିର୍ଦ୍ଦେଶନାମା ଜାରୀ ପରେ ଏକ ସାମାଜିକ ଗଣମାଧ୍ୟମ ମଞ୍ଚରେ ପ୍ରସାରିତ ବାର୍ତ୍ତାରେ କୁହାଯାଇଥିଲା ଯେ ମଦ୍ୟପାନ କରୁଥିବା ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହେବେ ନାହିଁ । ଦୀର୍ଘ ସମୟଧରି ଏହା ଭାଇରଲ ହେବା ପରେ ଭାରତ ସରକାରଙ୍କ ପରିଚାଳନାଧୀନ ପ୍ରେସ ଇନଫରମେସନ ବ୍ୟୁରୋ ପକ୍ଷରୁ ଏହାକୁ ଏକ ଗୁଜବ ବୋଲି ସ୍ପଷ୍ଟୀକରଣ ଦିଆଯାଇଥିଲା ।

କେତେକ ସାମାଜିକ ଗଣମାଧ୍ୟମ ମଞ୍ଚରେ ବାର୍ତ୍ତା ପରିବେଷଣ ଓ ପ୍ରସାରଣ ନିମନ୍ତେ ସଂପୃକ୍ତ ବ୍ୟକ୍ତି ଆଇନତଃ ଉତ୍ତରଦାୟୀ ରହିବା ପ୍ରାବଧାନ ଥିଲେ ହେଁ ଚ଼େତନା ଅଭାବରୁ ଅନେକ କ୍ଷେତ୍ରରେ ଆଇନ ଉଲଂଘନ ଦେଖିବାକୁ ମିଳେ । ହ୍ୱାଟସଆପ ଭଳି ଅନ୍ୟ କେତେକ ମେସେଞ୍ଜର ଆପ୍ଲିକେସନରେ ପ୍ରସାରିତ ବାର୍ତ୍ତା ତୃତୀୟପକ୍ଷ ତନଖି କରିବାର ସୁଯୋଗ ଅଭାବରୁ ଆଇନର ପରିସରଭୁକ୍ତ ହୋଇପାରେ ନାହିଁ । ଫଳରେ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାର ନିମନ୍ତେ ଉର୍ବର କ୍ଷେତ୍ର ପ୍ରସ୍ତୁତ ହୋଇଥାଏ ।

ଗବେଷଣାରୁ ଜଣାଯାଏ ଯେ ଗୁଜବ ସତ୍ୟ ତୁଳନାରେ ଅନ୍ତତଃପକ୍ଷେ ସାତ ଗୁଣ କ୍ଷୀପ୍ରଗତିରେ ପ୍ରସାରିତ ହୋଇଥାଏ । ଏହି କାରଣରୁ ଗୁଜବ ସାମାଜିକ ଗଣମାଧ୍ୟମ ମଞ୍ଚରେ ପହଞ୍ଚିବା ପରେ ଖୁବ କମ ସମୟ ମଧ୍ୟରେ ଅଧିକ ସଂଖ୍ୟକ ପାଠକଙ୍କ ନିକଟତର ହେବା ଆଶଙ୍କା ରହିଥାଏ । ପୁଣି ଅସତ୍ୟ ବାରମ୍ବାର ଉଚ୍ଚାରିତ ହେବା ପରେ ତାହା ସାଧାରଣତଃ ବୃହତ ପାଠକ ମଣ୍ଡଳରେ ସତ୍ୟରୂପେ ଗୃହୀତ ହୋଇଥାଏ ।

ଗୁଜବ ପ୍ରତିହତ କରିବା ନିମନ୍ତେ ଯଥାସଂଭବ ତଥ୍ୟ ଆଧାରିତ ସତ୍ୟ ସମ୍ୱାଦ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସ୍ଥାନିତ କଲେ ସୁଫଳ ମିଳେ । ଗୁଜବକୁ ଅସତ୍ୟ ବୋଲି ଚ଼ିହ୍ନଟ କରି ଅଭିମତ ପ୍ରକାଶନ ସ୍ୱାଗତଯୋଗ୍ୟ । ସମ୍ୱାଦଟି କାହିଁକି ଗୁଜବ ଶ୍ରେଣୀଭୁକ୍ତ ତାହାର କାରଣ ଦର୍ଶାଇବା ଦ୍ୱାରା ତାହା ଅନ୍ୟମାନଙ୍କଦ୍ୱାରା ସହଜରେ ଗୃହୀତ ହୋଇଥାଏ ।

ଜାଣିବା ଜରୁରୀ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ବାରମ୍ୱାର ହାତ ଧୋଇବା, ପରିଷ୍କାର ପରିଚ୍ଛନ୍ନତାପ୍ରତି ଦୃଷ୍ଟି ଦେବା ଏବଂ ହାତ ମୁହଁରେ ନଲଗାଇବା ତଥା ଗହଳିଆ ସ୍ଥାନରେ ଚଳପ୍ରଚଳନ ଏଡ଼ାଇବା ନିମନ୍ତେ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ମୁହଁରେ ମୁଖ୍ୟତଃ ଆଖି, ନାକ ଓ ପାଟିରେ ବାରମ୍ୱାର ହାତ ମାରିବା ଆମ ଅଭ୍ୟାସ । ୨୦୧୫ରେ ଏକ ଚିକିତ୍ସା ବିଦ୍ୟାଳୟ ଶ୍ରେଣୀଗୃହରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆଚ଼ରଣ ଅନୁଧ୍ୟାନରୁ ଜଣାଯାଇଥିଲା ଯେ ହାରାହାରି ପ୍ରତ୍ୟେକ ବ୍ୟକ୍ତି ଘଣ୍ଟାରେ ୨୩ ଥର ମୁହଁରେ ହାତ ମାରିଥାନ୍ତି । ଏହି ଅଭ୍ୟାସ ଆମକୁ ବଦଳାଇବାକୁ ପଡ଼ିବ । କାରଣ କରୋନା ପରେ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ପ୍ରତିରୋଧରେ ମଧ୍ୟ ତାହା ସହାୟକ ହେବ ।

କିଛି ତଥ୍ୟ: ଚୀନର ମଧ୍ୟଭାଗରେ ଅବସ୍ଥିତ ହୁବେଲ ପ୍ରଦେଶର ଉହାନ ସହରରେ ୨୦୧୯ ଡ଼ିସେମ୍ୱର ଶେଷ ୨୦୨୦ ଜାନୁୟାରୀ ଆରମ୍ଭରୁ ମନୁଷ୍ୟ ଶରୀର ଶ୍ୱାସନଳୀରେ କରୋନା ଭୂତାଣୁ ସଂକ୍ରମଣ ମାର୍ଚ୍ଚ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ବିସ୍ତୃତ ଅଞ୍ଚଳକୁ ବ୍ୟାପିଛି ।

Leave A Reply

Your email address will not be published.