କରୋନା ମାଡ଼ରେ ମୋବାଇଲ ମହଙ୍ଗା, ଜାଣନ୍ତୁ କେତେ ପ୍ରତିଶତ ଜିଏସଟି ଲଗାଇଲେ ସରକାର

0 508

ଗୋଟିଏ ପଟେ ଦେଶର ଅର୍ଥନୀତିକୁ ଶକ୍ତ ପ୍ରହାର ଦେଉଛି ମହାମାରୀ କରୋନା । ଆଉ ଏପଟେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦର ବୃଦ୍ଧି କରି ଉପଭୋକ୍ତାଙ୍କ ପକେଟକୁ ମାଡ଼ କରିଛନ୍ତି । ଏବେ ଏହି ସାମଗ୍ରୀରେ ଯୋଡ଼ି ହୋଇଛି ମୋବାଇଲ ଫୋନ୍ ।  ଏଣିକି ମୋବାଇଲ୍ ଫୋନ କିଣିବା ମହଙ୍ଗା ହେବ । ଶନିବାର ଜିଏସଟି ପରିଷଦ ବୈଠକରେ ମୋବାଇଲ୍ ଫୋନ ଉପରେ ଜିଏସଟି ୧୨ ରୁ ୧୮ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆଜି ବସିଥିବା ଜିଏସଟି ପରିଷଦ ବୈଠକରେ ମୋବାଇଲ ଫୋନ ଓ ମୋବାଇଲ ଫୋନ ଯନ୍ତ୍ରାଂଶ ଉପରେ ଲାଗୁ ଜିଏସଟି ହାରକୁ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରା ଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ପୂର୍ବରୁ  ମୋବାଇଲ୍ ଫୋନ ମହଙ୍ଗା ହେବା ସମ୍ବାବନା ରହିଥିଲା । ଏଣୁ କ୍ୟାଟ୍ ଏବଂ ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନ୍ (AIMRA) ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ମୋବାଇଲ୍ ଫୋନ ଉପରେ ଜିଏସଟି ବୃଦ୍ଧି ନକରିବାକୁ ଦାବି କରିଥିଲେ । ସଂସ୍ଥା ଗୁଡିକ ଚିଠିରେ ଯୁକ୍ତି ଦର୍ଶାଇଥିଲେ ଯେ ମୋବାଇଲ ଫୋନରେ ଜିଏସଟି ବଢାଇବା ଫଳରେ ଗ୍ରାହକଙ୍କ ବ୍ୟତୀତ ଖୁଚୁରା ବ୍ୟବସାୟୀମାନଙ୍କୁ ଏହା ଅଧିକ ପ୍ରଭାବିତ କରିବ ।

ଏଥି ସହିତ ଆଜିର ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦିଆସିଲି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । ଅନ୍ୟପକ୍ଷରେ ୨୦୧୮-୧୯ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଜୁନ ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଶେଷ ତାରିଖ ପରେ ଜିଏସଟି ଫାଇଲ କଲେ ଟିକସ ପରିମାଣ ଉପରେ ସୁଧ ଲାଗୁ ହେବ । ତେବେ ବାର୍ଷିକ ଟର୍ଣ୍ଣଓଭର ୧ କୋଟିରୁ କମ ଥିଲେ, ଲେଟ ଫି ବା ବିଳମ୍ବ ଶୁଳ୍କ ଲାଗୁ ହେବ ନାହିଁ ।

Leave A Reply

Your email address will not be published.