ଆସିକା ଠାକୁାରଣୀ ମା ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରା : ପ୍ରଥମ ଦିନରେ ଜଳଯାତ୍ରା ଓ ଅଙ୍କୁରାପୋଣ

0 198

ଆସିକା,୧୮/୫ (ଶୁଣାକଥା) ମନୋଜ କୁମାର ନାୟକ : ଆସିକାର ଅନ୍ୟତମ ଅଧିଷ୍ଠାତ୍ରୀ ଠାକୁାରାଣୀ ମା ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ସହରରେ ଥିବା ସପ୍ତ ଠାକୁରାଣୀଙ୍କ ମିଳନ ଉତ୍ସବ ଆୟୋଜନ ନେଇ ଜଳଯାତ୍ରା ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅପରାହ୍ନରେ ଶତାଧିକ ମହିଳା ଶୋଭାଯାତ୍ରାରେ ବାହାରି ପବିତ୍ର ଋଷିକୁଲ୍ୟା ନଦୀର ତ୍ରିବେଶ୍ୱର ମନ୍ଦିର ନଦୀରେ ପହଁଚିଥିଲେ । ସେଠାରେ ସ୍ତୋତ୍ରିୟ ପଣ୍ଡିତ ବ୍ରାହ୍ମଣ ବୃନ୍ଦଙ୍କ ଦ୍ୱାରା ଗଙ୍ଗା ଆବାହନ ପୂଜା ଓ ହୋମ କରାଯିବା ପରେ ଜଳ ସଂଗ୍ରହ କରାଯାଇଥିଲା । ସଂଗୃହିତ ଜଳ କଳସକୁ ମହିଳା ମାନେ ବଜାର ସାହି, ନିରଞ୍ଜନ ନଗର ଦେଇ ଯାତ୍ରା ନିମନ୍ତେ ନିର୍ମିତ ଅସ୍ତାୟୀ ମଣ୍ଡପ ଠାରେ ପହଁଚି ଥିଲେ । ସେଠାରେ ଜଳ କଳସ ସ୍ଥାପନ କରାଯାଇଥିଲା । ଏହାପରେ ପଣ୍ଡିତ ରାମକୃଷ୍ଣ ନନ୍ଦଙ୍କ ସଂଯୋଜନାରେ ବ୍ରାହ୍ମଣ ମାନେ ଅଙ୍କୁରାରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଆସନ୍ତାକାଲି ବୁଝବାର ଦିନ ସକାଳୁ ଓଡିଆ ସାହି ସ୍ଥିତି ମା ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରାରେ ଆସିକା ସହରର ମା ଖମ୍ବେଶ୍ୱରୀ, ମା କାଳିମୁଖୀ, ବସଷ୍ଟାଣ୍ଡର ବୁଢୀ ଠାକୁରାଣୀ, ମା ମାଣିକେଶ୍ୱରୀ, ସୁନାମ୍ବ ସାହିର ଗ୍ରାମ ଦେବତୀ, ଲାଲାଶାସନର ମା ବିମଳା ସପ୍ତ କଲ୍ୟାଣମୟୀ ଠାକୁାରଣୀଙ୍କୁ ଆବାହନ କରାଯିବ । ଆସିକା ସହର ଉପକଣ୍ଠ ଲାଲାଗୋର୍ଜି ଛକ ନିକଟରେ ପୂଜା ନିମନ୍ତେ ଅସ୍ଥାୟୀ ମଣ୍ଡପରେ ବିଜେ କରିବେ । ସେଠାରେ ଅନ୍ୟ ଏକ ଅସ୍ଥାୟୀ ମଣ୍ଡପରେ ସ୍ୱତନ୍ତ୍ର ପୂଜା ପାଠ, ହୋମ ଓ ଯଜ୍ଞର ଶୁଭାରମ୍ଭ ହେବ ।

ଏହି ଯାତ୍ରା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆସିକା ସହରର ଅର୍ଦ୍ଧାଧିକ ସାହିରେ ଅନୁଷ୍ଠିତ ହେଉଥିବା ବେଳେ ଯାତ୍ରାକୁ ସଫଳତାର ସହିତ ଆୟୋଜନ ନେଇ ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଏନେଇ ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଆୟୋଜନ କରାଯାଉଥିବା ବେଳେ ଆଜି ଆସିକା ଏସଡିପିଓ ସଞ୍ଜୟ ମହାପାତ୍ର ଓ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାଥ ପଟ୍ଟନାୟକ, ଆସିକା ଗୋଷ୍ଠି ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯାତ୍ରା ସ୍ଥାନରେ ପହଁଚି ସ୍ଥିତି ସମିକ୍ଷା କରିଥିଲେ ।

ଆସିକା ଫୁଲକେଶନୀ ଯାତ୍ରା କମିଟି ସଭାପତି ଶିବ ଶଙ୍କର ପାତ୍ର, ଉପଦେଷ୍ଟା ସତ୍ୟନାରାୟନ ରଥ, ମନୋଜ ମୁନୀ, ଉପସଭାପତି ଏମ.ତାରିଣୀ ଚରଣ ସେନାପତି, ସୁରେନ୍ଦ୍ର ବିଷୋୟୀ, ରବିନ୍ଦ୍ର ପୋଲାଇ, ସଞ୍ଜୟ ସାହୁ, ଶାନ୍ତନୁ ସାହୁ, ସରୋଜ ଦାଶ, ପ୍ରସନ୍ନ ତ୍ରିପାଠି, ଦେବହରି ମହାନ୍ତି, ବିଶ୍ୱନାଥ ସାହୁ, ନିରଞ୍ଜନ ମହାନ୍ତି, ଗଣପତି ରେଡିଙ୍କ ସମେତ ସମସ୍ତ କର୍ମକର୍ତା ଓ ବହୁ ସ୍ୱଚ୍ଚାସେବୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.