ଆସିକା,୨୪/୫ (ଶୁଣାକଥା) ମନୋଜ କୁମାର ନାୟକ – ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ମିଳିତ ଉଦ୍ୟମରେ ଆଜି ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଇଲାକା ଭେଟନଇ ଗହିରିମାଳ ଠାରେ ପ୍ରାୟ ୫୦ ରୁ ଉର୍ଦ୍ଦ ଗାଇକୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣ ଗୋ – ଚାଲାଣକାରୀଙ୍କୁ ଅଟକ ରଖାଯାଇଥିବା ସୂଚନା ରହିଛି । ଅଟକ ଗୋ ଚାଲାଣକାରୀ ମାନେ ଆସିକା ଥାନା ଅନ୍ତର୍ଗତ ଅସୁରାଇପଲ୍ଲୀ ଗ୍ରାମର ଧୋବା ଗୈାଡ, ତ୍ରିନାଥ ଗୈାଡ, ଡାକୁଆ ଖଦାଳ, ନାରାୟଣ ନାୟକ ଧରାପଡିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଚାରି ଜଣ ବ୍ୟକ୍ତି ପ୍ରାୟ ପଚାଶରୁ ଉର୍ଦ୍ଧ ଗାଇକୁ ନେଇ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ଅଞ୍ଚଳରୁ ଆସି ଭେଟନଇ ରାସ୍ତା ଅତିକ୍ରମ କରି ବଡଗଡ ଦେଇ ଆନ୍ଧ୍ର ଆଡକୁ ଚାଲାଣ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ଗାଡିରେ ନେଲେ କୁଆଡେ ଧରାପଡିଯିବା ଭୟରେ ଗାଇ ଗୁଡିକୁ ଚଲାଇ ଚଲାଇ ନେଉଥିଲେ । ଏତିକି ବେଳେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କ ପିଛା କରି ଭେଟନଇ ଗହିରିମାଳ ଠାରେ ଗୋଚାଲାଣକାରୀଙ୍କୁ କାବୁ କରିଥିଲେ । ଘଟଣା ସ୍ଥଳରେ ସମସ୍ତ ଗାଇକୁ ଉଦ୍ଧାର କରି ଆସିକା କୋଟିନଡା ପୋଲିସକୁ ସୂଚନା ପ୍ରଦାନ କରିଥିଲେ ।
ଏହି ଗୋ-ଲାଚାଲାଣରେ ଅନେକ ବ୍ୟକ୍ତି ସମ୍ପୃକ୍ତ ଥିବା ସୂଚନା ରହିଥିବା ବେଳେ ଗୋ-ଚାଲାଣର ମାଷ୍ଟର ମାଇଣ୍ଡ ସମେତ ଆଠ ଜଣ ବ୍ୟକ୍ତି କାରରେ ଆସି ଘଟଣାକୁ ଦେଖି ଧରାପଡିଯିବା ଭୟରେ ଚମ୍ପଟ ମାରିଥିବା ସ୍ଥାନୀୟ ଲୋକେ ସୁଚନା ପ୍ରଦାନ କରିଛନ୍ତି ।