ନକଲି ଶିକ୍ଷକ ଗିରଫ, ଜାଲି ସାର୍ଟିଫିକେଟ ଦେଇ କରିଥିଲେ ଚାକିରୀ ଆଉ ତା’ପରେ …

0 415

ଆସିକା,୪/୭ (ପ୍ରତିନିଧି : ମନୋଜ ନାୟକ)- ଗିରଫ ହେଲେ ନକଲି ଶିକ୍ଷକ । ବର୍ଷ ବର୍ଷ ଧରି ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରି ଆସୁଥିବା ଏହି ବ୍ୟକ୍ତି ଏବେ ବନ୍ଧା ହୋଇଛନ୍ତି । ସୂଚନା ଅନୁସାରେ ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନ ଗଙ୍ଗାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷକ ନକଲି ବି.ଇଡି ସାର୍ଟିଫିକେଟ ଦେଇ ଚାକିରୀରେ ଥିବା ଘଟଣାକୁ ବିରୋଧ କରି ଆସିକା ବିଇଓ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗକୁ ଭିତି କରି ଆସିକା ପୋଲିସ ତଦନ୍ତ ଆରମ୍ଭ କରି ଆଜି ସହକାରୀ ଶିକ୍ଷକ ଶିବରାମ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ତାଙ୍କ ବିରୁଦ୍ଧରେ ଆସିକା ଥାନା କେସ ନମ୍ବର- ୩୭୧/୨୩, ଦଫା ୪୨୦/୪୬୭/୪୬୮/ ୪୭୧ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର ନ ହେବାରୁ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି । ଅଭିଯୁକ୍ତ ଶିକ୍ଷକ ଜଣକ ଆସିକା ବ୍ଲକ ଅଧିନ ଚଢିଆପଲ୍ଲୀ ପଚାଂୟତ ଚଢିଆପଲ୍ଲୀ ଗ୍ରାମର ଜୁରୀ ମହାନ୍ତିଙ୍କ ପୁଅ ଅଟନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ଶିକ୍ଷା ସହାୟକ ଯୋଜନାରେ ଜାଲ ସାର୍ଟିଫିକେଟ ଦେଇ ଜୁନ ୨୪, ୨୦୧୫ ମସିହାରେ ନିଜର ଚାକିରୀ କାଳ ଆରମ୍ଭ କରିଥିଲେ । ସେ ଆସିକା ବ୍ଲକ ସୀମାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୬ ମସିହାରେ ଆସିକା ବ୍ଲକ ଗଙ୍ଗାପୁର ପଚାଂୟତ ଗଙ୍ଗାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ରୁପେ ବଦଳି ହୋଇ କାର୍ଯ୍ୟରତ ଥିଲେ ।

ଶିକ୍ଷକ ଜଣକ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏକ ନକଲି ବିଇଡି ସାର୍ଟିଫିକେଟ ଦାଖଲ କରି ଚାକିରୀ କରୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତିକରି ଗଣଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରି ଦିଆଯାଇଥିବା ବିଇଡି ସାର୍ଟିଫିକେଟ ନକଲି ବୋଲି ଜାଣିପାରିଥିଲେ । ଗଣଶିକ୍ଷା ବିଭାଗଙ୍କ ଆଦେଶ ଚିଠି ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ.ଗିରିଧାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ ।

ଏହା ପୂର୍ବରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ନକଲି ସାର୍ଟିଫିକେଟ ଦେଇଥିବା ଅନ୍ୟ ୬ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଭଳି ଅନେକ ଶିକ୍ଷକ ଆଜି ମଧ୍ୟ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଛନ୍ତି । ଆଉ ଏମାନଙ୍କୁ ଏକ ନିଦ୍ଧିଷ୍ଟ ଗୋଷ୍ଠୀ ସହଯୋଗ କରୁଥିବା ବିଶେଷ ସୂତ୍ରରୁ ସୂଚନା ରହିଛି । ପୋଲିସ ଏହି ରାକେଟ କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ।

Leave A Reply

Your email address will not be published.