ଆସିକା,୨୯/୫ (ଶୁଣାକଥା) ମନୋଜ କୁମାର ନାୟକ – ଗ୍ରାମୀଣ ସ୍ୱଚ୍ଚ ଭାରତ ମିଶନ ଅଧୀନରେ ପାଇଖାନା ନିର୍ମାଣ ଯୋଜନା ଆସିକା ବ୍ଲକରେ ଦିଗହରା ହୋଇଯାଇଛି । ଏନେଇ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ ସ୍ୱଚ୍ଚ ଭାରତ ପାଇଖାନା ଯୋଜନା ବିଫଳ ହୋଇଥିବା ଜଣାପଡିଛି । ଆସିକା ବ୍ଲକର ୨୭ଟି ପଚାଂୟତରେ ସ୍ୱଚ୍ଚ ଭାରତ ମିଶନରେ ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ହେଉଛି । ଏଥିରେ ଜଡିତ ପଞ୍ଚାୟତ ଅଧିକାରୀ, ବ୍ଲକ ଅଧିକାରୀ ଏବଂ କାର୍ଯ୍ୟପରିଚାଳନା କ୍ଷେତ୍ରରେ ଦାୟିତ୍ୱ ଥିବା ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।
ବିିଭିନ୍ନ ସମୟରେ ବ୍ଲକ ପକ୍ଷରୁ ପ୍ରତ୍ୟେକ ପରିବାରକୁ ଘରୋଇ ପାଇଖାନା ନିର୍ମାଣ କରିବା ପାଇଁ ସଚେତନତା କରାଯାଉଥିବା କୁହାଯାଉଛି । ଏଥିସହିତ ଆସିକା ବ୍ଲକ ଖୋଲା ଶୈାଚମୁକ୍ତ ଅଞ୍ଚଳ ଭାବେ ମଧ୍ୟ ଘୋଷିତ କରାଯାଉଛି । କିନ୍ତୁ ମୁଖ୍ୟ ରାସ୍ତା କଡକୁ ଗଲେ ଲୋକେ ଅପରିଷ୍କାର କରିବାର ଯେଉଁ ଅଭ୍ୟାସ ତାହା ପରିବର୍ତନ ହେଉନି । ଘରୋଇ ପାଇଖାନା ଓ ପରିମଳ ସେବା ସମ୍ପର୍କରେ ସଚେତନତା କରାନଯାଇ ବ୍ଲକରେ କାଗଜ କଲମରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଏଥିଯୋଗୁଁ ଲୋକେ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ ହୋଇ ପାରୁନାହାଁନ୍ତି । ଅନେକ ଆବେଦନକାରୀ ତଥା ଇଛୁକ ବ୍ୟକ୍ତି ମାନେ ପାଇଖାନା ନିର୍ମାଣ ପାଇଁ ଦରଖାସ୍ତ କରି ବ୍ଲକକୁ ଦୈାଡି ଦୈାଡି ନୟାନ୍ତ ହେବା ପରେ ବାଧ୍ୟ ହୋଇ ରାସ୍ତା କଡ ଅପରିଷ୍କାର କରୁଛନ୍ତି ।
ବିଶେଷକରି ଆସିକା ବ୍ଲକରେ ସ୍ୱଚ୍ଚ ଭାରତ ମିଶନ, ଗ୍ରାମ୍ୟ ପାନୀୟ ଜଳ ଯୋଜନା, ମନରେଗା ପ୍ରଭୃତି କାର୍ଯ୍ୟକାରିତାରେ ମନ୍ଥରତା ପରିଲକ୍ଷିତ ହେଉଥିବା ଜଣାପଡୁଛି । କେନ୍ଦ୍ର ସରକାର ସ୍ୱଚ୍ଚ ଭାରତ ମିଶନ ଯୋଜନାରେ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି । ଏହି ଅନୁଦାନ ଅର୍ଥରେ ପାଇଖାନା ନିର୍ମାଣ ହେଉଛି । କିନ୍ତୁ ସଚେତନତା ଅଭାବରୁ ହେଉ କିମ୍ବା ପାଇଖାନା ଗୁଡିକ ନିମ୍ନମାନର ନିର୍ମାଣ କାରଣରୁ ହେଉ ଗ୍ରାମାଚଂଳର ଅନେକ ପାଇଖାନା ଅବ୍ୟବହୃତ ହୋଇ ରହିଥିବା କାରଣରୁ ଯୋଜନାଟି ମୂଳଲକ୍ଷ୍ୟ ଠାରୁ ଦୂରେଇ ଯାଉଛି । କେତେକ ସ୍ଥାନରେ ନିମ୍ନମାନର ଟାଙ୍କି ଭାଙ୍ଗିରୁଜି ଗଲାଣିତ ଆଉ କେତେକ ସ୍ଥାନରେ ଏଗୁଡିକ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ନିର୍ମାଣ କରାଯାଇଥିବା ପାଇଖାନା ଗୁଡିକ ମଧ୍ୟରେ ଅଧାରୁ ଅଧିକ ଅନୁପଯୋଗୀ ହୋଇ ପଡି ରହିଥିବା ବେଳେ ଶୈାଚ ପାଇଁ ପାଣିର ଅଭାବ ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।
ଘରୋଇ ପାଇଖାନା ଗୁଡିକ ନିମ୍ନମାନର ହୋଇଥିବା କାରଣରୁ କେତେକ ସ୍ଥାନରେ ବର୍ଷେ ନପୁରୁଣୁ ଏଗୁଡିକ ଭାଙ୍ଗିରୁଜି ଗଲାଣି । ଏଥିସହ କେତେକ ସ୍ଥାନରେ ନିମ୍ନମାନର ଛାଉଣି ଓ କବାଟ ଯୋଗୁଁ ପାଇଖାନା ବ୍ୟବହାର ଅନୁପଯୋଗୀ ହୋଇ ରହିଛି । ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ସହ ବିଭାଗୀୟ ଯନ୍ତ୍ରୀଙ୍କ ସଠିକ ତଦାରଖ ଅଭାବରୁ ଆସିକା ବ୍ଲକ ଅଞ୍ଚଳରେ ଅନେକ ପାଇଖାନାରେ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଆସିକା ବ୍ଲକରେ ଏଭଳି ଅନେକ ଲକ୍ଷ୍ୟହୀନ ପାଇଖାନା ଅବ୍ୟବହୃତ ହୋଇ ରହିଥିବା ବେଳେ ହିତାଧିକାରୀ ମାନେ ପାଇଖାନାକୁ କିପରି ବ୍ୟବହାର କରିବେ ସେଥିପାଇଁ ବ୍ଲକ ପ୍ରଶାସନ ସଚେତନତା ସୃଷ୍ଟି କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।