Hundreds of women protest against change in leadership of SHG president and secretary in Aska block : They gave a signed demand letter to BDOHundreds of women protest against change in leadership of SHG president and secretary in Aska block : They gave a signed demand letter to BDO

ଆସିକା,୧୨/୪ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକରେ ଏସ.ଏଚ.ଜି ଦଳ କର୍ମକର୍ତ୍ତା ପରିବର୍ତ୍ତନକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ଶତାଧିକ ମହିଳା । ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ବଦଳିବା ନେଇ ରାଜ୍ୟ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଡିଓଙ୍କୁ ନିର୍ଦ୍ଧେଶ ଆସିଛି । ଚଳିତ ଏପ୍ରିଲ ମାସରୁ ନୂତନ କର୍ମକର୍ତ୍ତା ମନୋନୟନ କରିବାକୁ କୁହାଯାଇଥିବା ବେଳେ ଏବେ ଦ୍ୱନ୍ଦ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଦେଇଛି । ରାଜ୍ୟ ମିଶନ ଶକ୍ତି ବିଭାଗର ପତ୍ର ସଂଖ୍ୟା ୩୫୬, ତାରିଖ ୨୨/୧/୨୦୨୫ ଅନୁସାରେ ଦଳର ନେତୃତ୍ୱ ପରିବର୍ତନ କରିବା ପାଇଁ ସମସ୍ତ ସି.ଆର.ପି ଓ ଏମ.ବି.କେ କୁ ଆଦେଶ ରହିଛି । କିନ୍ତୁ ନିଜସ୍ୱ ପାଣ୍ଠିରୁ ଗଠିତ ଦଳ ଓ ନେତୃତ୍ୱ ଚୟନ ପାଇଁ ସଦସ୍ୟ ମାନଙ୍କର ଅଧିକାର ରହିଥିବା ବେଳେ ପଚଂସୂତ୍ର ନିୟମ ଅନୁଯାୟୀ ଏଠାରେ ଦଳ ପରିଚାଳନା ହେଉଛି ।

ଆସିକା ବ୍ଲକରେ ଗ୍ରାମାଞ୍ଚଳରେ ୨ ହଜାର୧୭୮ ଏସଏଚଜି ଦଳ ରହିଥିବା ବେଳେ ୨୨ ହଜାର ୨୪୫ ଜଣ ସଦସ୍ୟା ରହିଛନ୍ତି । ସେହିଭଳି ସହରାଞ୍ଚଳ ୧୬୪ଟି ଏସ.ଏଚ.ଜି ଦଳ ରହିଥିବା ବେଳେ ୧୬୭୧ ଜଣ ସଦସ୍ୟ ରହିଛନ୍ତି । ଏହିଭଳି ଭାବେ ମୋଟ ୨ ହଜାର ୩୪୨ ଟି ଏସ.ଏଚ.ଜି ଦଳ ୨୩ ହଜାର ୯୧୬ ଜଣ ସଦସ୍ୟ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଗ୍ରାମ୍ୟ ବ୍ୟାଙ୍କରୁ ଋଣ ନେଇ ନିଜ ବ୍ୟବସାୟ ଚଳାଉଛନ୍ତି । ଋଣ ସମୟରେ ବ୍ୟାଙ୍କ ସହ ଚୁକ୍ତି କରୁଥିବା ସଭାପତି ଓ ସମ୍ପାଦକ ମାନେ ସରକାରଙ୍କ ନୂଆ ନିର୍ଦ୍ଧେଶନାମା ଅନୁଯାୟୀ ସେମାନଙ୍କ ପଦବୀ ହରାଇ କେବଳ ସାଧାରଣ ସଭ୍ୟା ହୋଇ ରହିବେ । ଏହାକୁ ନେଇ ଗୋଷ୍ଠୀ ମଧ୍ୟରେ ଅନ୍ତଦ୍ୱର୍ନ୍ଦ ଦେଖାଦେଇଥିବା ବେଳେ କିଭଳି ଋଣ ସୁଝିବେ ଆଉ ଦଳ ସଂଗଠନ ବଜାୟ ରହିବ ସେନେଇ ପ୍ରଶ୍ନ କରାଯାଇଥିଲା।

ରାଜ୍ୟ ମିଶନ ଶକ୍ତି ବିଭାଗ ପକ୍ଷରୁ ଚିଠି ପାଇବା ପରେ ପ୍ରଶାସନ ଓ ମିଶନ ଶକ୍ତି କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ବ୍ୟାଙ୍କର ଋଣ ଥିବାରୁ ଦ୍ୱନ୍ଦ ଉପୁଜିଛି । ସେପେଟେ ଏସ.ଏଚ.ଜି ପକ୍ଷରୁ ଦଳ ନେତୃତ୍ୱ ପରିବର୍ତନ ବନ୍ଦ କରିବା, ବିନା ସୁଧରେ ଋଣ ପ୍ରଦାନ କରିବା, ପ୍ରତ୍ୟେକ ଏସ.ଏଚ.ଜି ମାଙ୍କୁ ପ୍ରତିଶୃତି ମୁତାବକ ଏକ ହଜାର ଟଙ୍କା ଭତା ପ୍ରଦାନ କରିବା, ଏସ.ଏଚ.ଜି ଦଳ ପରିଚାଳନା ଦାୟିତ୍ୱ ଏସଏଚଜି ହାତରେ ନ୍ୟସ୍ତ କରିବା ଏବଂ ପ୍ରତ୍ୟେକ ଏସ.ଏଚ.ଜି କୁ ଦକ୍ଷତା ବିକାଶ ଅନୁସାରେ ତାଲିମ ପ୍ରଦାନ କରିବା ନେଇ ଦାବୀ ଉପସ୍ଥାପନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କୁମାରୀ ବେହେରା, ସବିତା ବିଷୋୟୀ, ଜୟନ୍ତି ନାଇକ, ସୁଷମା ପାଣିଗ୍ରାହୀ, କୁନି ପାଣିଗ୍ରାହୀ, ବବିତା ବେହେରା, ସ୍ନେହଲତା ପାଣିଗ୍ରାହୀ, ନିଳମଣି ପାତ୍ର, ରିନା ବାଡତ୍ୟା, କେ.ପଦ୍ମାବତୀ ରେଡି, ପୂର୍ଣ୍ଣିମା ସ୍ୱାଇଁ ସାଙ୍ଗକୁ ଶତାଧି ଏସଏଚଜି ମା ମାନେ ସାମିଲ ହୋଇ ପ୍ରତିବାଦ କରିଥିଲେ । ଶେଷରେ ସମସ୍ତ ଏସଏଚଜି ମହିଳ ଗ୍ରୁପକୁ ଓଡିଆରେ ଲିଖିତ ଚିଠି ପତ୍ର ପ୍ରଦାନ କରିବାକୁ ଦାବୀ କରାଯାଇଥିଲା ।