Memorandum for land settlement and issuance of house titles in 5 villages of AskaMemorandum for land settlement and issuance of house titles in 5 villages of Aska

ଆସିକା,୧୯/୫(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ୫ଟି ମୈାଜାରେ ହାଇଟେକ ସର୍ଭେ ଅନୁଯାୟୀ ଭୁ-ବନ୍ଦୋବସ୍ତ କରି ଘରବାରି ପଟ୍ଟା ପ୍ରଦାନ ପାଇଁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆସିକା ତହସିଲ ରାଜସ୍ୱ ଅନ୍ତର୍ଗତ ଖମ୍ବେଶ୍ୱରୀପାଟଣା, ପାକଲାପଲ୍ଲୀ, ନରସିଂହପୁର, ସୁନାମ୍ବ ସାହି ଓ ଆସିକା ରାଜସ୍ୱ ଗ୍ରାମବାସୀଙ୍କ ପକ୍ଷରୁ ପୂବରୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସୁଚନା ରହିଛି ।

ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆସିକାର ୫ଟି ମୈାଜାରେ ଭୁ-ବନ୍ଦୋବସ୍ତ ସମ୍ପର୍କୀତ ନିର୍ଦ୍ଧେଶନାମା ଡି.ନୋଟିଫାଇ ଗତ ଏପ୍ରିଲ ୨୯ ତାରିଖରେ ପ୍ରକାଶିତ ହେବା ପରେ ଜମି ପଟ୍ଟା ପାଇବାର ବିଳମ୍ବ ଯୋଗୁଁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ୫ଟି ମୈାଜାରେ ହଜାର ହଜାର ସଂଖ୍ୟାରେ ଲୋକ ଘର ଦ୍ୱାର କରି ବସତି ସ୍ଥାପନ କରିଆସୁଛନ୍ତି ।

୨୦୧୭ ମସିହାରେ ଭୁ-ବନ୍ଦୋବସ୍ତ ନେଇ ବିଜ୍ଞପ୍ତିକୁ ବାତିଲ କରାଯିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଆସିକା ସହର ଓ ଏହାର ଆଖପାଖ ଗ୍ରାମରେ ଭୁ-ବନ୍ଦୋବସ୍ତ ହୋଇନାହିଁ । ସାଧାରଣ ଲୋକଙ୍କ ବାସଗୃହ, ଚାଷ ଜମିର ପଟ୍ଟା ନଥିବାରୁ ନିଜର ଆବଶ୍ୟକ ସମୟରେ ବିକ୍ରିବଟା କିମ୍ବା ବ୍ୟାଙ୍କ ଋଣ ପାଇବାରେ ନାନା ପ୍ରକାର ଅସୁବିଧା ସମ୍ମୁଖୀନ ହୋଉଛନ୍ତି । ଅନେକ ଥର ବହୁ ସଂଗଠନ ପକ୍ଷରୁ ଦାବୀ କରି ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୈାଣସି ସୂଚନା ମିଳୁନଥିବା ନେଇ ଖୁବ ଅସନ୍ତୋଷ ଜାହିର କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଚେତାବନୀ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆବାହକ ଗଙ୍ଗାଧର ଶତପଥୀ, ସତ୍ୟନାରାୟଣ ରଥ, ସନ୍ତୋଷ କୁମାର ପାଣିଗ୍ରାହୀ, ନିରୋଜ କୁମାର ପାଢି, ଉପେନ୍ଦ୍ର ନାଥ ମିଶ୍ର, ନିରଞ୍ଜନ ପଣ୍ଡା, ଶକ୍ତି ପ୍ରସାଦ କର, ଲକ୍ଷ୍ମୀନାରାୟଣ ଗୁପ୍ତା ସମେତ ବହୁ ଜନସାଧାରଣ ସାମିଲ ଥିଲେ ।