ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

0 127

ଆସିକା,୫/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଘୁମୁସର ବନଖଣ୍ଡ ବିଭାଗ ମୁଖ୍ୟ ବନାଚଂଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଆୟୋଜିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମ ଓଡିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତି ଅକ୍ଟୋବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ କରାଯାଉଛି ।

ଦ୍ରୁତ ଗତିରେ ସହରୀକରଣ ଯୋଗୁଁ ସବୁ ଜଙ୍ଗଲ ସମ୍ପଦ ଅବକ୍ଷୟ ହେବାରେ ଲାଗିଛି । ଏହି ଜଙ୍ଗଲ ସମ୍ପଦ ଓ ବନ୍ୟ ପ୍ରାଣୀ ମାନେ ପରିବେଶ ସୁରକ୍ଷା ଓ ସନ୍ତୁଳନ ଆଣିବାରେ ସାହାଯ୍ୟ କରିଥାନ୍ତି । ସେଥିପାଇଁ ସରକାର ବନ୍ୟ ପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ କରୁଛନ୍ତି । ଏଥି ମଧ୍ୟରେ ଜାତୀୟ ଜଙ୍ଗଲ ଓ ବନ୍ୟ ଜନ୍ତୁ ସୁରକ୍ଷା ସପ୍ତାହ ଅନ୍ୟତମ ରହିଛି । ପଶୁ ପକ୍ଷୀ ମାନଙ୍କୁ ସେମାନଙ୍କ ନିତ୍ୟ ପ୍ରତିଦିନର ଚାରଭୂମୀ ବନାନୀ ପରିବେଶରେ ସେମାନଙ୍କୁ ସଂରକ୍ଷଣ କରି ରଖିବା ହେଉଛି ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ ।

ଏହି କାର୍ଯ୍ୟକ୍ରମ ବେଳେ ମହାବିଦ୍ୟାଳୟ ଯୁବ ରେଡକ୍ରସ, ଜାତୀୟ ସେବା ସଂସ୍ଥାର ସ୍ୱେଚ୍ଚାସେବୀ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଶିକ୍ଷାର୍ଥି ସାଙ୍ଗକୁ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଏକ ସଚେତନତା ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ଦାଶ କାଠି ଲୋକ ନୃତ୍ୟୁ ଜରିଆରେ ପରିବେଶ ସୁରକ୍ଷା ଓ ବନ୍ୟ ପ୍ରାଣୀ ସୁରକ୍ଷା ନେଇ ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ଜଙ୍ଗଲ ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ କେବଳ ବୃକ୍ଷ ରୋପଣ ହିଁ ଏକ ମାତ୍ର ବିକଳ୍ପ ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସମ୍ମାନୀୟ ଅତିଥି ରୁପେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରା, କୃଷ୍ଣସାର ମୃଗ ସୁରକ୍ଷା କମିଟି ମୁଖ୍ୟ ସଚେତକ ଅମୂଲ୍ୟ କୁମାର ଉପାଧ୍ୟାୟ, ସମାଜସେବି ଶୁଳପାଣି ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଆସିକା ବିଜ୍ଞାନ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.