ମୁକୁନ୍ଦପୁର ଗ୍ରାମରେ ବିକାଶ ସାତସପନ, ମୈାଳିକ ଅଧିକାରରୁ ବଞ୍ଚିତ ଗ୍ରାମବାସୀ

0 201

ଆସିକା,୧୯/୧୧ (ଶୁଣାକଥା) : ମନେରଗା ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଥିବା ଗଞ୍ଜାମ ଜିଲ୍ଲା ଦିନକୁ ଦିନ ଦୁର୍ନୀତିର ଫର୍ଦରେ ଛନ୍ଦି ହେଉଥିବା ନଜିର ରହିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଆସିକା ବ୍ଲକ କାଳଷଣ୍ଡପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମରେ ଏବେ ମନେରଗା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବର୍ଷ ପରେ ବର୍ଷ ବିତିବା ସାଙ୍ଗକୁ ଗୋଟିଏ ସରକାର ଯାଇ ଆଉ ଗୋଟିଏ ସରକାର ଆସିଲାଣି । ବିକାଶର ସ୍ୱପ୍ନ ଦେଖାଇ ରାଜନୈତିକ ଦଳ ମାନେ ଭୋଟ ଭିକ୍ଷା କରୁଛନ୍ତି । ତାହା ସତ୍ୱେ ମୈାଳିକ ଅଧିକାର ବି ଏଠି ପହଁଚିବାରେ ସାତସପନ ପାଲଟିଛି । ଦେଶ ସ୍ୱାଧିନତା ହେବାର ୭୭ ବର୍ଷ ବିତିଥିଲେ ମଧ୍ୟ ଏଠି ବିକାଶ ବହୁ ଦୂରରେ ରହିଥିବା ଚିତ୍ର ଦେଖିବାକୁ ମିଳିଛି ।

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାଳଷଣ୍ଡପୁର ପଞ୍ଚାୟତରେ ରହିଛି ମୁକୁନ୍ଦପୁର ଗ୍ରାମ । ଆସିକା ଏନଏସିକୁ ଲାଗି ରହିଥିଲେ ମଧ୍ୟ କାଳଷଣ୍ଡପୁର ପଞ୍ଚାୟତର ମୁକୁନ୍ଦପୁର ପ୍ରମୁଖ ଗାଁ ଭାବେ ବୋଲି ବେଶ ପରିଚିତ । ଏହି ଗାଁରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ସହ ପ୍ରାୟ ୭ ଶହରୁ ଅଧିକ ଭୋଟର ରହିଛନ୍ତି । ହେଲେ ଏଠି ବିକାଶର ନା ଧରୁନି । ଏହି ଗାଁରେ ପିଇବା ପାଣି ସମସ୍ୟା ଏବେ ବି ଲାଗି ରହିଛି । ନିର୍ବାଚନ ଆସିଲେ ଏଠାରେ ଜନ ପ୍ରତିନିଧିଙ୍କ ଦର୍ଶନ ଏବଂ ମୁଠାଏ ମୁଠାଏ ପ୍ରତିଶୃତି ମିଳୁଛି । ହେଲେ ନିର୍ବାଚିତ ହେବା ପରେ ପାଦର ଧୁଳି ମଧ୍ୟ ପଡୁନାହିଁ । ଏତିକି ବେଳେ ସରକାରଙ୍କ ଦ୍ୱାରା ଆସୁଥିବା ଯୋଜନା ମଧ୍ୟ ଅଦୃଶ୍ୟ ହୋଇଯାଉଛି । କେବଳ ଫଳକରେ ଦିନେ ଦୁଇ ଦିନ ଦେଖାଯାଉଥିବା ବେଳେ ପରବର୍ତୀ ସମୟରେ ତାଙ୍କୁ ଭାଙ୍ଗି ସଫା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମର ଯୁବ ଗୋଷ୍ଠି ।

ମୁକୁନ୍ଦପୁର ଗ୍ରାମରେ ତିନିଟି ୱାର୍ଡ ରହିଛି । ଏହି ଗ୍ରାମର ପଶ୍ଚିମ ସାହିରେ ୧୦ ନମ୍ବର ୱାର୍ଡ, ପୂର୍ବରେ ୧୧ ନମ୍ବର ୱାର୍ଡ ଏବଂ ରୋଡ ସାହିରେ ୧୨ ନମ୍ବର ୱାର୍ଡ ରହିଛି । ଆର୍ଥିକ ବର୍ଷ ୨୦୨୨-୨୩ ରେ ମନେରଗା ଯୋଜନାରେ ମୁକୁନ୍ଦପୁର ଗ୍ରାମର ଠାକୁରାଣୀ ବନ୍ଧର ପୁନଃରୁଦ୍ଧାର ପାଇଁ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅନୁଦାନ ଆସିଥିଲା । ହେଲେ ସେଭଳି କିଛି କାର୍ଯ୍ୟ କରାଯାଇନଥିବା ଗ୍ରାମରେ ଅଭିଯୋଗ କରିଛନ୍ତି । ସେହିଭଳି ଗ୍ରାମର ପନ୍ଦରା ସାହିରେ ଡ୍ରେନେଜ ପାଇଁ ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଅନୁଦାନ ଆସିଥିବା ବେଳେ ତାହା ମଧ୍ୟ କୌଣସି କାର୍ଯ୍ୟ ହୋଇନଥିବା ଜଣାପଡିଛି ।

ମୁକୁନ୍ଦପୁର ଗ୍ରାମରେ ୩ଟି ୱାର୍ଡରେ ୮ଟି ସାହି ରହିଥିବା ବେଳେ ସମସ୍ତ ସାହିରେ ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଆସିଥିଲା । ହେଲେ ଲାଇଟ ଲାଗିଲା ନାହିଁ । ତାକୁ ମଧ୍ୟ କୁଆଡେ ଚଳୁ କରାଯାଇଥିବା ଦୃଢତାର ସହିତ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ରଘୁନାଥ ନଗର ରୋଡ ପାଇଁ ଗ୍ରାମବାସୀ ଅନେକ ଥର ଦାବୀ କରିଥିଲେ । ଏନେଇ ରୋଡ ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ବ୍ୟଟ ଅଟକଳ ଆସିଥିଲା । ରୋଡ ନିର୍ମାଣ ପାଇଁ ଫଳକ ମଧ୍ୟ ଠିଆ ହୋଇଥିଲା । ହେଲେ ପରବର୍ତୀ ସମୟରେ ତାକୁ ଭଙ୍ଗା ମଧ୍ୟ କରାଯାଇଥିଲା । ନା ରୋଡ ତିଆରି ହେଲା, ନା ଯାତାୟାତା କ୍ଷେତ୍ରରେ ଲୋକଙ୍କ ପାଇଁ ପକ୍କ। ରାସ୍ତା ନିର୍ମାଣ ହୋଇପାରିଲା ।

ଏହି ଗାଁରେ କୋମଳମତି ଶିଶୁଙ୍କ ପାଇଁ ଦୁଇ ଦୁଇଟି ଅଙ୍ଗନବାଡି କେନ୍ଦ୍ର ରହିଛି । ହେଲେ ସେମାନେ ଭଡା ଗୃହରେ ପାଠ ପଢିବା ସହିତ ଭଙ୍ଗା ଦୁଦୁରା ବିପଦ ସଙ୍କୁଳ ଗୃହରେ ଅଧ୍ୟୟନ କରୁଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରାଯାଇଥିବା ଗ୍ରାମର ଏକ ବନ୍ଦ ବିଦ୍ୟାଳୟ ଦୈନନ୍ଦିନ ପାଠ ପଢୁଛନ୍ତି । ଏତିପ୍ରତି ନା ଅଙ୍ଗନବାଡି ଦୃଷ୍ଟି ଗୋଚର ଆଣୁଛନ୍ତି ନା ସି.ଡି.ପି.ଓ ପରିଦର୍ଶନ କରୁଛନ୍ତି । ତାଙ୍କୁ ନେଇ ଏବେ ଗ୍ରାମରେ ପ୍ରଶ୍ନ କରିଛନ୍ତି ।

ମୁକୁନ୍ଦପୁର ଗାଁର ବିକାଶକୁ ଦୃଷ୍ଟିରେ ରଖି ଗାଁର ଯୁବ ଗୋଷ୍ଠି ଆଜି ରାତିରେ ଏକ ବୈଠକ ଡାକି ବରିଷ୍ଠ ଲୋକଙ୍କ ସହିତ ଆଲୋଚନା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଏହାପରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଗ୍ରାମର ବିକାଶ ପାଇଁ ଦାବୀ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ତେବେ ଆସିକା ବ୍ଲକ କାଳଷଣ୍ଡପୁର ପଞ୍ଚାୟତର ମୁକୁନ୍ଦପୁର ଗ୍ରାମ କେବେ ବିକାଶ ଧାରାରେ ସାମିଲ ହେବେ ତାକୁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.