Babanpur sarpanch received prakrutibandhu puraskarBabanpur sarpanch received prakrutibandhu puraskar

ଆସିକା,୮/୭ (ପ୍ରତିନିଧି – ମନୋଜ ନାୟକ ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦେଶରେ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଭାରତ ପକ୍ଷରୁ ମଧ୍ୟ ପରିବେଶ ସୁରକ୍ଷାକୁ ନେଇ ଗୁରୁତ୍ୱ ଦିଆଯାଉଛି । ଏହାକୁ ଭିତ୍ତି କରି ରାଜ୍ୟ ସରକାର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରତିବର୍ଷ ଜୁଲାଇ ୧ ଠାରୁ ୭ ତାରିଖ ପର୍ଯ୍ୟନ୍ତ ବନୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷିରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଭଳି କାର୍ଯ୍ୟ କରି ଜଙ୍ଗଲ ସୃଷ୍ଟି କରିବା ପାଇଁ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଛି ।

ତେବେ ଏହିଭଳି ମହତ କାର୍ଯ୍ୟରେ ବ୍ୟକ୍ତିଗତ ଭାବେ ନିଜକୁ ସାମିଲ କରୁଥିବା ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ବିଭାଗ ପକ୍ଷରୁ ବନ ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ଛତ୍ରପୁର ବ୍ଲକ ସିନ୍ଦୁରାପଲ୍ଲୀ ଠାରେ ଜିଲ୍ଲା ସ୍ତରୀୟ ବନୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରୁ ୧୬ଟି ବ୍ଲକରେ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୬ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ୨୦୨୩ ମସିହାରେ ଆସିକା ବ୍ଲକ ବାବନପୁର ପଚାଂୟତର ସରପଞ୍ଚ ତଥା ସ୍ୱେଚ୍ଚାସେବୀ ସଂଗଠନ “ଗଡ”ର ପ୍ରତିଷ୍ଠାତା ସଞ୍ଜୟ କୁମାର ନାୟକଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହିତ ତାଙ୍କୁ ୧୦ ହଜାର ଟଙ୍କା ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ଡିଏଫଓ ସନି ଖୋକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କିର୍ତିଭାସନ, ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଘୁମୁସର ଉତ୍ତରାଞ୍ଚଳ ସୁଦର୍ଶନ ବେହେରା ସମେତ ବନ ବିଭାଗର ବହୁ ପଦାଧିକାରୀ ଯୋଗ ଦେଇଥିଲେ ।

ଆସିକା ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ “ଗଡ” ନାମକ ଏକ ସାମାଜିକ ସଂଗଠନ ପ୍ରତିଷ୍ଠା କରିଛନ୍ତି । ପ୍ରକୃତି ହେଉଛି ପ୍ରକୃତ ଭଗବାନ । ଆଉ ତାଙ୍କର ଅମୃତ ହେଉଛି ଅମ୍ଲଜାନ ଓ ପାନୀୟ ଜଳ । ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଗୁଡିକରେ ପରିବେଶ ବିକାଶ ଭିତିକ କାର୍ଯ୍ୟ କରିବା ସହିତ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ନିମନ୍ତେ ଜ୍ଞାନ ପ୍ରଦାନ କରିଥାନ୍ତି । ସମାଜରେ ସମସ୍ତ ବ୍ୟକ୍ତିଙ୍କ ମଙ୍ଗଳ ପାଇଁ ବାବନପୁର ପଚାଂୟତ ଗଡଗଡା ପାହାଡ ଠାରେ ମୋକ୍ଷର ଧାମ ପ୍ରକୃତି ମାତାଙ୍କ ପୂଣ୍ୟ ପୀଠ ସ୍ଥାପନ କରି ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।