ବ୍ରହ୍ମପୁର,(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗାନ୍ଧିନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ଆଜି ଜାତୀୟ ସେବା ଯୋଜନା ଓ ମହାବିଦ୍ୟାଳୟ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପ୍ରାଧ୍ୟାପିକା ଡଃ.ନିବେଦିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରିଣୀ ସମିତା ସାହୁ ଓ ସୁନିତା ରାଣୀ ଜେନା ଆୟୋଜିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଆଜି ଆମ ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଉଥିବା ବେଳେ ୧୫ ଅଗଷ୍ଟ, ୧୯୪୭ ମସିହାରେ ଦେଶ ସ୍ୱାଧିନତା ହେବା ପରେ ସମ୍ବିଧାନ ଆବଶ୍ୟକତାକୁ ଅନୁଭବ କରାଯାଇଥିଲା । ଏହାପରେ ୧୯୪୯ ମସିହାରେ ଆମ ଦେଶ ସମ୍ବିଧାନକୁ ସ୍ୱୀକାର କରିଥିଲା । ସମ୍ବିଧାନ ପ୍ରସ୍ତୁତ କରିବାରେ ଦୁଇ ବର୍ଷ, ୧୧ ମାସ ଓ ୧୮ ଦିନର ସମୟ ଲାଗିଥିଲା ଯାହା ପରେ ଭାରତ ଗଣରାଜ୍ୟର ସମ୍ବିଧାନ ୨୬ ଜାନୁୟାରୀ,୧୯୫୦ ମସିହାରେ ପ୍ରସ୍ତୁତ ହୋଇଥିଲା । ଏହାକୁ ଆଧିକାରିକ ଭାବରେ ଲାଗୁ କରାଯାଇଥିଲା । ସେଥିପାଇଁ ଏହି ଦିନଟିକୁ ଗଣତନ୍ତ୍ର ଦିବସ ଭାବରେ ପାଳନ କରାଯାଏ ।
ପ୍ରଥମ ଥର ସମ୍ବିଧାନ ଦିବସ ୨୦୧୫ ରେ ପାଳନ କରାଯାଇଥିବା ବେଳେ ସେବେ ଠାରୁ ଆଜିର ଦିନରେ ସମ୍ବିଧାନ ଦିବସ ପାଳନ କରାଯାଉଛି । ୨୦୧୫ ମସିହାରେ ସମ୍ବିଧାନ ନିର୍ମାତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୨୫ ତମ ଜୟନ୍ତି ଥିବା ବେଳେ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଏହି ଦିନ ସମ୍ବିଧାନ ଦିବସ ପାଳନ କରିବା ପାଇଁ ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସମ୍ବିଧାନର ମହତ୍ୱ ଓ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ବିଚାରକୁ ପ୍ରଚାର କରିବା ଓ ସମ୍ମାନ କରିବା ଉଦ୍ଧେଶ୍ୟରେ ଆଜି ସମ୍ବିଧାନ ଦିବସ ପାଳନ କରାଯାଉଛି । ଭାରତ ସମ୍ବିଧାନ ଦୁନିଆର ସବୁଠାରୁ ବଡ ଲିଖିତ ସମ୍ବିଧାନ । ଏଥିରେ ୪୪୮ ଅନୁଚ୍ଚେଦ, ୧୨ଟି ଅନୁସୂଚୀ ଓ ୨୫ଟି ଭାଗ ରହିଛି । ଆମ ଦେଶର ସମ୍ବିଧାନ ସଂଘାତ୍ମକ ଓ ଏକାତ୍ମକ ଦୁଇ ପ୍ରକାରର । ଏହା ମୈାଳିକ ଅଧିକାର ସହିତ ମୈାଳିକ କର୍ତବ୍ୟ ଗୁଡିକ ବିଷୟରେ ବର୍ଣ୍ଣନା କରିଥିବା ଆଲୋଚନା କରାଯାଇଥିଲା ।
ଏହି ଅବସରରେ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ ମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା, ଓଡିଆ ରଚନା ପ୍ରତିଯୋଗିତା, ଇଂରାଜୀ ରଚନା ପ୍ରତିଯୋଗିତା, ବକୃତା ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପ୍ରାଧ୍ୟାପିକ ଡଃ.ନିବେଦିତା ମହାପାତ୍ର, ପ୍ରଶାସନିକ ଅଧିକାରିଣୀ ଜୟନ୍ତି ରାଣୀ ପଣ୍ଡା, ଆଇ.ଓ.ଏ.ସି ସଂଯୋଜିକା ଡଃ.ସୁଜାତା ପଣ୍ଡିତ, ମହାବିଦ୍ୟାଳୟ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜିକା ଡଃ.ଅଳକା ରାଣୀ ଦାଶ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ବେଳେ ଅଧ୍ୟାପିକା ଆଶା କିରଣ ପଣ୍ଡା, ପ୍ରଶନ୍ନା ପଟ୍ଟନାୟକ ଓ କାଶ୍ମୀରା ଦାଶ ପରିଚାଳନାରେ ସହଯୋଗ କରିଥିଲେ ।