ଆସିକାରେ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ସ୍ୱର ଉଠିଲା : ଦାବୀ ପୂରଣ ନ ହେଲେ ଭୋଟ ବର୍ଜନ କରିବ ଆସିକା ଓକିଲ ସଂଘ

0 487

ଆସିକା,୨୫/୭( ମନୋଜ କୁମାର ନାୟକ ) – ଦିର୍ଘ ବର୍ଷର ନିରବତା ପରେ ପୁଣି ଜିଲ୍ଲା ଗଠନ ପାଇଁ ଦାବୀ ଜୋର ଧରିଛି । ଭଞ୍ଜନଗର ଠାରେ ଘୁମୁସର ଜିଲ୍ଲା ଗଠନ ଦାବୀ ପରେ ଏବେ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ଆସିକା ଓକିଲ ସଂଘ ପକ୍ଷରୁ ଦାବୀ ହୋଇଛି । ଆଗାମୀ ଦିନରେ ସରକାର ଦାବୀ ପୂରଣ ନକେଲ, ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଓକିଲ ସଂଘ ସଭାପତି ରିବନ୍ଦ୍ର ନାଥ ଶର୍ମା ସୂଚନା ଦେଇଛନ୍ତି ।

ଆସିକା ସହର ହେଉଛି ଏକ ସର୍ବପୁରାତନ ସହର । ରାଜନୈତିକ ମାନଚିତ୍ରରେ ସବୁବେଳେ ସ୍ୱତନ୍ତ୍ର ସ୍ଥାନ ରହିଛି । ଆସିକା ଓକିଲ ସଂଘ ୧୯୯୨ ମସିହାରୁ ଆଜି ପର୍ଯ୍ୟନ୍ତ ଜ଼ିଲ୍ଲା ଗଠନ ପାଇଁ ଆନ୍ଦୋଳନ କରିଆସୁଛି । ଆସିକା ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀରେ ସ୍ଥାନ ସବୁବେଳେ ସ୍ୱତନ୍ତ୍ର ରହିବା ସହିତ ଲୋକଙ୍କ ସୁବିଧା ଓ ଗମନାଗମନ ଦୃଷ୍ଟିକୋଣରୁ ଏହା ଆସିକା, ଶେରଗଡ, ଧରାକୋଟ, ସୋରଡା, ସାନଖେମୁଣ୍ଡି, ପୋଲସରା, ବେଗୁନିଆପଡା ଏବଂ ହିଞ୍ଜିଳୀ ପ୍ରମୁଖ ବ୍ଲକ କେନ୍ଦ୍ରରେ ରହିଛି । ଏସବୁକୁ ନେଇ ଋଷିକୁଲ୍ୟା ଗଠନ ହୋଇ ପାରିଲେ ଜନସାଧାରଣ ଉପକୃତ ହୋଇପାରିବେ । ଆଉ ଆସିକାରେ ଋଷିକୁଲ୍ୟା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ହେଲେ, ଆସିକା ତହିସିଲ ଏବଂ ପ୍ରସ୍ତାବିତ ଅଚଂଳରୁ ସରକାରଙ୍କ ରାଜସ୍ୱ ଆଦାୟ ସରଳୀକରଣ ହୋଇପାରିବ ।

୧୯୯୨ ମସିହାରୁ ଆସିକା ଓକିଲ ସଂଘ ଦାବୀ କରିବା ସହ ବିଭିନ୍ନ ସମୟରେ ଆନ୍ଦୋଳନକୁ ଜୋର ଦେଇ ଆସୁଛି । ଏନେଇ ବିଭିନ୍ନ ସ୍ତରରେ ସରକାରଙ୍କ ସହିତ ଆଲୋଚନା ମଧ୍ୟ କରିଛି । ଋଷିକୁଲ୍ୟା ଜିଲ୍ଲା ଗଠନରେ ବିଳମ୍ବର ମୁଖ୍ୟ କାରଣ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ବୋଲି ଓକିଲ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।


ଆସିକାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିବା ସହିତ ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟାକାରୀ କରୁଛି । ଏଠାରେ ଅନେକ ରାଜନେତା ନିଜର ଛାପ ଛାଡିବା ସହିତ ଖୋଦ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ରାଜନୈତିକ ଓ ଅର୍ଥନୈତିକ ଦିଗ ପାଇଁ ଆସିକା ସହରର ସ୍ୱତନ୍ତ୍ରତା ରହିଛି । ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ସମସ୍ତ ସର୍ତ ରହିଥିବାରୁ ସରକାର ଏଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି । ଏଦିଗରେ ଯଦି ସରକାର ତୁରନ୍ତ ଧ୍ୟାନ ନଦେବେ, ତେବେ ଜନ ଆନ୍ଦୋଳନ ତିବ୍ର ରୁପ ନେବା ସହ ଆଗାମୀ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଆସିକା ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ନାରାୟଣ ମୁନୀ, ଉପସଭାପତି ଛବିଳରାମ ମିଶ୍ର, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ପି.ଶିବ ଶଙ୍କର ପାତ୍ର, ସନ୍ତୋଷ ପାଣିଗ୍ରାହୀ ସମେତ ବହୁ ଆଇନଜୀବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.