ଆସନ୍ତା ମାସରେ ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ଡିଇଓ ଅଫିସ ଘେରାଉ : ଅଗଷ୍ଟ ୧୬ ଏବଂ ୧୭ ରେ ଲୋୟର ପିଏମଜି ରୋଡରେ ଶୋଭାଯାତ୍ରା ଓ ଧାରଣା

1,793

ଆସିକା,୨୨/୭ (ମନୋଜ କୁମାର ନାୟକ) – ଆସନ୍ତା ଅଗଷ୍ଟ ମାସରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଶାଖା ଆସିକା ବ୍ଲକ ପକ୍ଷରୁ ବିଭିନ୍ନ ଦାବୀ ନେଇ ଡି.ଇ.ଓ କାର୍ଯ୍ୟାଳୟ ଘେରାଉ କରିବେ । ଅଗଷ୍ଟ ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଶୋଭାଯାତ୍ରା ସହ ଧାରଣ ପାଇଁ ସୂଚନା ପ୍ରଦାନ କରାଯାଇଛି ।

ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସମ୍ମିଳନୀରେ ଓଷ୍ଟା ଶାଖା ଆସିକା ବ୍ଲକ ସଭାପତି ତାରା ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।
ଏହି ସମ୍ମଳନୀରେ ସମ୍ପାଦକ ରାମ କୃଷ୍ଣ ପଣ୍ଡା ଶିକ୍ଷକ ସଂଘର ବିଭିନ୍ନ ସମସ୍ୟା ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଆସିକା ବ୍ଲକରେ ନୂତନ ଗ୍ରାଣ୍ଟ ସ୍କୁଲ ମଧ୍ୟରେ ଗହଙ୍ଗୁ, ବେଣାପାଟ, କମାଗଡ, କେ.ରାଇସିଙ୍ଗପୁର, ଭେଟନଇ, ସିଦ୍ଧନଇ, ଆଲିପୁର, ବାବନପୁର, କାଳଷଣ୍ଡପୁର, କୁମ୍ଭାରୀ, କର୍ଣ୍ଣୋଳୀ, ପାଣ୍ଡିଆପଥର, ମଣ୍ଟାପଡା ପ୍ରଭୃତି ୧୪ଟି ହାଇ ସ୍କୁଲ ରହିଛି ।

ଏହି ସ୍କୁଲ୍ ଗୁଡିକରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟରତ ଅଛନ୍ତି । ଏଥିରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଅବସର ପରେ ପେନସନ ଲାଗୁ ହୋଇନଥିବା ଅଭିଯୋଗ କରିଥିଲେ । ସରକାରୀ ସ୍କୁଲ ଭଳି ସମସ୍ତ ସୁବିଧା ସୁଯୋଗରୁ ବଚିଂତ ହୋଇ ରହିଛନ୍ତି । ଏଠାରେ କାର୍ଯ୍ୟରତ ଅଧାରୁ ଅଧା ସ୍କୁଲ କର୍ମଚାରୀ ଚାକିରୀ ସର୍ତାବଳୀର ପରବର୍ତୀ ସ୍ଲାବ ପାଇ ପାରୁ ନାହାଁନ୍ତି । ଅବସର ପରେ ପୁନଃ ଶିକ୍ଷକ,ଶିକ୍ଷୟତ୍ରୀ ନିଯୁକ୍ତି କରାଯାଉ ନାହିଁ । ଯଦ୍ୱାରା ବିଦ୍ୟାଳୟ ଗୁଡିକରେ ଶିକ୍ଷକର ଅଭାବ ରହୁଛି ।

ଚାକିରୀ ସର୍ତାବଳୀ ଲାଗୁ ହୋଇନଥିବା ଯୋଗୁଁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନସିକ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ କରାଯାଇଛି । ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀ ପିକନିକ ଯିବା ପାଇଁ ଅନୁମତି ମିଳୁ ନାହିଁ । ଗତ ବର୍ଷ ଠାରୁ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଷ୍ଟାଇପେନ ପାଇ ପାରୁନାହାଁନ୍ତି । ଆସନ୍ତା ମାସରେ ବ୍ରହ୍ମପୁର ଡି.ଇ.ଓ କାର୍ଯ୍ୟାଳୟରେ ଶିକ୍ଷକ,ଶିକ୍ଷୟତ୍ରୀ ସାମୂହିକ ଭାବେ ଶୋଭାଯାତ୍ରା ସହ ପ୍ରତିବାଦ କରିବେ । ଏହାପରେ ଅଗଷ୍ଟ ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଧାରଣା ଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।

ଏହି ବୈଠକରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ବିଜୟ କୁମାର ବେହେରା, ଯୁଗ୍ମ ସମ୍ପାଦକ ପିତାମ୍ବର ପାଢୀ, ଇ.ସି ସଭ୍ୟ ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଅଲଓଷ୍ଟା ସଭାପତି ଅମର ବିଳାସ ବେହେରା, ଉପଦେଷ୍ଟା ଜୀବନ ବନ୍ଧୁ ଜେନା, ବିଚିତ୍ର ବିହାରୀ ଦାଶ, ସନ୍ତୋଷ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷକ ମାନଙ୍କ ସମୂହ ଦାବୀକୁ ସମର୍ଥନ ଜଣାଇଥିଲେ ।

ବାବନପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୂ ପ୍ରସାଦ ପଣ୍ଡା, ପ୍ରଶ୍ନ କୁମାର ପାଣିଗ୍ରାହି ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଡି.ଇ.ଓ ଅଫିସରେ ମନମୂଖୀ କାର୍ଯ୍ୟକଳାପକୁ ବୈଠକରେ ନିନ୍ଦା କରାଯିବା ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ରହିଥିବା ସମସ୍ୟାର ଶୀଘ୍ର ସମାଧାନ ହେବ, ସେନେଇ ବୈଠକରେ ଗୁରୁତ୍ୱାରୋପ ଦେଇଥିଲେ ।

ଏହି ସମ୍ମିଳନୀରେ ଆସିକା ବ୍ଲକ ଓଷ୍ଟା ସାଙ୍ଗଠନିକ କମିଟି ଗଠନ କରାଯାଇଥିଲା । ଓଷ୍ଟା ଶାଖା ଆସିକା ବ୍ଲକର ସଭାପତି ରୁପେ ତାରା ପ୍ରସାଦ ମିଶ୍ର, ଉପସଭାପତି ବବିତାଞ୍ଜଳୀ ମିଶ୍ର, ପ୍ରଦିପ୍ତ ନାୟକ, କୃଷ୍ଣ ଚନ୍ଦ୍ର ପଣ୍ଡା, ସମ୍ପାଦକ ରାମକୃଷ୍ଣ ପଣ୍ଡା, ସହସମ୍ପାଦକ ଯୋଗିତା ପାଣିଗ୍ରାହୀ, ନବଘନ ବାଡତ୍ୟା, ରାଜେନ୍ଦ୍ର କୁମାର ଦାଶ, ରାଜ୍ୟ ଇ.ସି ପ୍ରମୋଦ କୁମାର ଗୈାଡ, ଅବନୀ ଲେଙ୍କା, ଜିଲ୍ଲା ଇ.ସି ନିଳାମ୍ବର ମହାପାତ୍ର, ଚିତ ରଞ୍ଜନ ବାଡତ୍ୟା, ଉପଦେଷ୍ଟା ବିଭୂତି ପ୍ରସାଦ ପଣ୍ଡା, ହିମାଶୁଂ ଶେଖର ମୁନୀ, ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଶେଷପରେ ସମସ୍ତେ ଶପଥ ପାଠ କରି ନିଜର ଦାୟିତ୍ୱକୁ ସୁଚାରୁ ରୁପେ ଚଳାଇବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ ।

Comments are closed.