ଭଞ୍ଜନଗର ସବଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

0 125

ଆସିକା,୧୫/୭ ( ମନୋଜ କୁମାର ନାୟକ ) – ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଜେଲରେ ଆଜି ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ବେଲଗୁଣ୍ଠା ଥାନା ଅଧିନ ତନରଡା ଗ୍ରାମର ଚରଣ ବେହେରା ବୋଲି ସୂଚନା ରହିଛି ।

ଜଣେ ବ୍ୟକ୍ତିଙ୍କ ଠାରୁ କିଛି ବିସ୍କୁ୍‌ଟ ଓ ମିକ୍ସଚର ପ୍ୟାକେଟ ଜୋର ଜବରଦସ୍ତ ଛଡାଇ ରଖିଥିବା ଅଭିଯୋଗରେ ବେଲଗୁଣ୍ଠା ଥାନାରେ ଏକ ଲିଖୀତ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ଗିରଫ କରି ଗତ ମଙ୍ଗଳବାର ସଂଧ୍ୟାରେ କୋର୍ଟ ଚାଲାଣ କରିଥିଲେ ।

ଶନିବାର ଦିନ ସକାଳେ ସ୍ୱତନ୍ତ୍ର ସବଜେଲ ଭିତରୁ ଗୁରୁତର ଅବସ୍ଥାରେ ଚରଣ ବେହେରାଙ୍କୁ ଭଞ୍ଜନଗର ମେଡିକାଲ ଠାରେ ଭର୍ତ୍ତି କରାଯାଇଥିଲା । ମେଡିକାଲ ଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଭଞ୍ଜନଗର ସବଜେଲ ଅଧୀକ୍ଷକ ହୃଦଘାତରେ ଚରଣ ବେହେରାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ।

ଜେଲ ଭିତରେ ମୃତ୍ୟୁ ଚରଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଶବ ବ୍ୟବଚ୍ଚେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୂଚନା ପ୍ରଦାନ କରିଛନ୍ତି । ନ୍ୟାୟ ଦାବୀ କରି ଭଞ୍ଜନଗର–ଭୁବନେଶ୍ୱର ରାସ୍ତାରେ ତନରଡା ଗ୍ରାମବାସୀ ଅପରାହ୍ନ ୫ଟାରେ ରାସ୍ତାରୋକ କରିଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ ମୋଟର ଅଟକି ରହିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଚରଣ ବେହେରା ତନରଡା ଗ୍ରାମ ଛକରେ ଏକ ଦୋକାନା କରି କୁକୁଡା ମାଂସ ବିକ୍ରି କରୁଥିଲେ । ସେଥିରେ ସେ ନିଜ ପରିବାର ପ୍ରତିପୋଷଣ କରୁଥିଲେ ।

ତାଙ୍କ ଦୋକାନରୁ କୁକୁଡା ମାଂସ ଧରି ନେଇଥିବା ଜଣେ ଯୁବକକୁ ମୃତ ଚରଣ ଟଙ୍କା ମାଗିଥିଲେ । ଯୁବକ ଜଣକ କିଛି ଧାର ନେଇ ନଥିବା କହିଥିଲେ । ଏହାପରେ ଚରଣ ସେ ଧରିଥିବା ୨ଟି ବିସ୍କୁଟ ପ୍ୟାକେଟ ଓ ୨ଟି ମିକ୍ସଚର ପ୍ୟାକେଟ ସହ କିଛି ପାନ ପୁଡିଆ ମାଳକୁ ଜୋର ଜବରଦସ୍ତ ଛଡାଇ ନେଇଥିଲେ । ଧାର ଟଙ୍କା ଦେଲେ ଏସବୁ ଜିନିଷ ଫେରାଇବ ବୋଲି କହିଥିଲେ ।

କିଛି ସମୟ ପରେ ଯୁବକ ଜଣକ ବେଲଗୁଣ୍ଠା ଥାନାରେ ଚରଣଙ୍କ ବିରୁଦ୍ଧରେ ଲିଖୀତ ଅଭିଯୋଗ କରିଥିଲେ । ପୋଲିସ ଚରଣଙ୍କ ଦୋକାନକୁ ଆସି ସେଠାରେ ଥିବା ସମସ୍ତ ସାମଗ୍ରୀକୁ ଜବତ କରିଥିଲେ । ଏନେଇ ପୋଲିସ ଏକ ଚୋରି ମାମଲା ରୁଜୁ କରି ବେଲୁଗଣ୍ଠା ଥାନା କେସ ନମ୍ବର- ୪୧୧/୨୩ ପ୍ରକାରେ ଗତ ୧୧ ତାରିଖ ଦିନ ଚରଣଙ୍କୁ ଗିରଫ କରି କୋର୍ଟ ପଠାଇଥିଲେ ।

Leave A Reply

Your email address will not be published.