ପ୍ରକୃତି ମାତାଙ୍କ “ ଦେବାଶିଷ ” କାର୍ଯ୍ୟକ୍ରମ ବିଶ୍ୱଶାନ୍ତିର ମାର୍ଗ : ମୁସଲିମ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ
ଆସିକା,୧୮/୯(ମନୋଜ କୁମାର ନାୟକ) – ବିଶ୍ୱ ଜଳବାୟୁ ପରିବର୍ତ୍ତନ ସୁଧାର ପାଇଁ “ ଗଡ୍” ଗ୍ରୀନ ଅର୍ଗାନିକ ଡେଭେଲପମେଣ୍ଟ ସାମାଜିକ ସଂଗଠନ ପ୍ରତିଷ୍ଠାତା ତଥା ଆସିକା ବ୍ଲକ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ଗଡଗଡା ପାହାଡ ପାଦଦେଶରେ ମୋକ୍ଷର ଧାମ ପ୍ରକୃତି ମାତାଙ୍କ ପୂଣ୍ୟ ପୀଠ ସ୍ଥାପନ କରିବା ସହ ବୃକ୍ଷରୋପଣ, ପ୍ରାଣୀ ମାନଙ୍କ ସୁରକ୍ଷା, ପରିବେଶ ବିକାଶ ଦିଗରେ ବହୁ ଦିନ ହେବ କାର୍ଯ୍ୟ କରି ଆସୁଛନ୍ତି ।
ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ପ୍ରକୃତି ହେଉଛି, ପ୍ରକୃତ ଭଗବାନ ସମସ୍ତ ଧର୍ମ ପାଇଁ ଓ ତାଙ୍କରି ଅମୃତ ହେଉଛି ଅମ୍ଲଜାନ ଓ ପାନୀୟ ଜଳ । ରାମ, କୃଷ୍ଣ, ବୁଦ୍ଧ, ଯୀଶୁ ଓ ଆଲ୍ଲା ଆମ ପାଇଁ ଭଗବାନ ଓ ଆଦର୍ଶ ଅଟନ୍ତି । କିନ୍ତୁ ପ୍ରକୃତି ହେଉଛି ପ୍ରକୃତ ଭଗବାନ, ସମସ୍ତ ଧର୍ମ ପାଇଁ ।
କାହିଁକି ନା ସେହି ମହାପୁରୁଷ ମାନଙ୍କୁ ପ୍ରକୃତି ମାତା ତାଙ୍କରି ଅମୃତ ସ୍ୱରୁପ ଅମ୍ଲଜାନ, ପାନୀୟ ଜଳ ପ୍ରଦାନ କରି ତାଙ୍କରି କୋଳରେ ଆଶ୍ରୟ ଦେଇ ବିଭିନ୍ନ ଲୀଳାକୁ ପ୍ରଦର୍ଶନ କରିଛନ୍ତି । ଧଂସାଭିମୂଖୀ ଗତିଶୀଳ ପରିବେଶ ପଥକୁ ରୋକିବାକୁ “ ଗଡ୍ ” ତରଫରୁ ‘ ଦେବାଶିଷ ’ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଧର୍ମର ବ୍ୟକ୍ତି ସାମିଲ ହୋଇ ପ୍ରକୃତି ଓ ପରିବେଶର ବିକାଶ ପାଇଁ ବୃକ୍ଷରୋପଣ, ପରିମଳ ବ୍ୟବସ୍ଥାରେ ନିଜକୁ ସାମିଲ କରି ପ୍ରକୃତ ଭଗବାନଙ୍କ ଆର୍ଶିବାଦ ପ୍ରାପ୍ତି ପାଇଁ ସଚେତନତା କରୁଥିବା ବେଳେ ସଞ୍ଜୟ ନାୟକଙ୍କୁ ଏହି କାର୍ଯ୍ୟରେ ଉତ୍ସାହିତ କରି ଆଗକୁ ବଢିବା ପାଇଁ ଓଡିଶାର ଇକ୍ରା ରିସର୍ଚ୍ଚ ଇଷ୍ଟିଚ୍ୟୁଟର ସଦସ୍ୟ ତଥା ଓଡିଶା ହାଇକୋର୍ଟର ଆଇନଜୀବୀ ଅବଦୁଲ ବାରି ମୁସଲିମ ଧର୍ମର ଅଲୈାକିକ କୁରୁଆନ୍ ଗ୍ରନ୍ଥ ପ୍ରଦାନ କରିଛନ୍ତି ।

ସେହିଭଳି ଭୁବନେଶ୍ୱରରେ ଫାଦର ଅଶୋକ ସିଂ ଓ ପ୍ରଫେସର ରଘୁନାଥ ମଣ୍ଡଳଙ୍କ ଦ୍ୱାରା ଖ୍ରୀଷ୍ଟଧର୍ମର ପବିତ୍ର ବାଇବଲକୁ ପ୍ରଦାନ କରି ମହତ୍ କାର୍ଯ୍ୟରେ ଭଗବାନ ଆଲ୍ଲା ଓ ଯୀଶୁଙ୍କ ଆର୍ଶୀବାଦ କାମନା କରିବା ସହିତ ସମର୍ଥନ ଜଣାଇଛନ୍ତି । ଏହିଭଳି ଚିନ୍ତାଧାରାରେ ସାମିଲ ହୋଇ ଆଗକୁ ବଢିଲେ, ଭବିଷ୍ୟତ ପିଢି ପାଇଁ ମଙ୍ଗଳ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।