କୋଟିନଡା ଗ୍ରାମରେ ଗୁଣି ଗାରେଡି : ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା

0 335

ଆସିକା,୨୨/୮(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ଖାରିଆ ପଚାଂୟତ କୋଟିନଡା ଗ୍ରାମରେ ଗୁଣି ଗାରେଡି ଘଟଣା । ଏହାକୁ କେନ୍ଦ୍ର କରି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଥାନା ଆଗରେ ଧାରଣା ଦେଇଛନ୍ତି ।

ଗତ ଦୁଇ ତିନି ବର୍ଷ ମଧ୍ୟରେ ଗୁଣି ଗାରେଡି ଯୋଗୁଁ ଗ୍ରାମର ୨୦ ରୁ ୩୦ ଲୋକ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । କୋଟିନଡା ଗ୍ରାମରେ ଏବେ ଭୟର ବାତାବରଣ ଦେଖାଦେଇଛି । ଦିନ ଦ୍ୱିପହରରେ ଗ୍ରାମର ଝିଅ ଓ ମହିଳାଙ୍କ ଶରୀରେ ପ୍ରେତ ଆତ୍ମା ଆସୁଥିବା ଘଟଣାକୁ ନେଇ ଗ୍ରାମରେ ଏବେ ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି ।

ଏଭଳି ସ୍ଥିତିରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ କୋଟିନଡା ଥାନାକୁ ଯାଇ ପୋଲିସ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମରୁ ଗୁଣି ଗାରେଡିକୁ ଦୂର କରିବା ପାଇଁ ତାନ୍ତ୍ରିକକୁ ଡାକି ଖଟ ବିଦ୍ୟା କରିବେ ବୋଲି ଜଣାଇଥିଲେ ।

ବିଜ୍ଞାନର ଆଧୁନିକ ଯୁଗରେ ଏଭଳି ଅନ୍ଧ ବିଶ୍ୱାସ କଥାରେ ବିଶ୍ୱାସ ନ କରିବାକୁ କୋଟିନଡା ପୋଲିସ ଲୋକଙ୍କୁ କହିଥିଲେ । ବହୁ ବୁଝାସୁଝା କରିବା ପରେ କୋଟିନଡା ଗ୍ରାମବାସୀ ଘରକୁ ଫେରିଥିଲେ ।

ସେପଟେ କୋଟିନଡା ଗ୍ରାମରେ ଗ୍ରାମ ସଭାପତିଙ୍କ ନେତୃତ୍ୱରେ ଏକ ଜରୁରୀ କାଳୀନ ବୈଠକ ଡକା ଯାଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଗ୍ରାମକୁ ରକ୍ଷା କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହି ବୈଠକରେ ସର୍ବସମ୍ମତି ନିଷ୍ପତିକ୍ରମେ ଏକ ଦଶ ଜଣିଆ କମିଟି ଗଠନ କରାଯାଇଥିଲା । ପୃଥକ ପୃଥକ ଭାବେ ଦୁଇଟି ବୋଲେରୋ ଗାଡିରେ କମିଟିର ମହିଳା ଓ ପୁରୁଷ ଲୋକ ଫୁଲବାଣି ଓ ବାହାର ଜିଲ୍ଲାରୁ ତାନ୍ତ୍ରିକକୁ ଡାକିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ଗୁଣି ଗାରେଡି ପ୍ରଭାବରେ ଗ୍ରାମର ଦୁଇ ତିନିଟି ପରିବାରର ଲୋକଙ୍କୁ ହଠାତ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବା ସହିତ ଠିକ ହେବାର ନାମ ଧରୁ ନାହିଁ । ଏହାରି ପ୍ରଭାବରେ ଗ୍ରାମର ଝିଅ, ମହିଳା ଓ ପୁରୁଷ ଲୋକ ମାନେ ମାନସିକ ରୋଗୀ ଭଳି ବ୍ୟବହାର କରୁଛନ୍ତି ।

କୋଟିନଡା ଗ୍ରାମ ବାହାରକୁ ଚାଲି ଗଲେ ସ୍ୱାସ୍ଥ୍ୟରେ ସୁଧାର ଆସୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଗ୍ରାମରେ ପ୍ରବେଶ ହେଲା ମାତ୍ରେକ ପାଗଳ ଭଳି ହୋଇଥାନ୍ତି । ଏହା ଗୁଣି ଗାରେଡିର କାମ ବୋଲି ଗ୍ରାମ ଲୋକ ପ୍ରତିକ୍ରିୟା ଦେଇଛନ୍ତି ।

ଗ୍ରାମର ଶହଦେବ ଜେନାଙ୍କ ପରିବାରରେ ଗୁଣି ଗାରେଡି ପ୍ରଭାବ ଯୋଗୁଁ ସେମାନେ ଗ୍ରାମ ଛାଡି ଚାଲି ଯାଇଥିବା ସୂଚନା ମିଳିଛି । ସେହିଭଳି ଗନ୍ଧର୍ବ ମହାନ୍ତି, ତାଙ୍କ ସ୍ତ୍ରୀ ଗିତାଞ୍ଜଳୀ ମହାନ୍ତି ଏବଂ ଝିଅ କାଜଲ ମହାନ୍ତି ଗୁଣି ଗାରେଡିରେ ବଶୀଭୂତି ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ଆସୁନାହିଁ ବୋଲି ଗ୍ରାମ ବାସି ସୁଚନା ଦେଇଛନ୍ତି ।

ତେଣୁ କୋଟୀନଡାରେ ଗୁଣି ଗାରେଡି ଯୋଗୁଁ ଏଭଳି ହେଉଛି ବୋଲି ଗାଁରେ ଭୟର ବାତାବରଣ ଦେଖା ଦେଇଛି । କୋଟିନଡା ଗ୍ରାମର ବିଭିନ୍ନ ସ୍ଥାନ ଓ ଶେଷ ମୁଣ୍ଡରେ ଥିବା ମନ୍ଦିର ନିକଟରେ ରକ୍ତ ପଡୁଥିବା ଗ୍ରାମବାସି କହିଛନ୍ତି । ରାତି ହେଲେ ଗ୍ରାମର ଘରେ ଘରେ ତାଟି କବାଟ ପଡୁଥିବା ଏବଂ ଲୋକ ଭୟଭୀତରେ ରହୁଛନ୍ତି ।

ଏହି ଘଟଣାକୁ ନେଇ କୋଟିନଡା ପୋଲିସ ପକ୍ଷରୁ ଗ୍ରାମରେ ସଚେତନତା କରାଯାଇଛି । ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସରେ ନ ପଡିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ କୁହାଯାଇଛି । କୋଟିନଡା ଗ୍ରାମରେ ଏବେ ପୋଲିସ ଛାଉଣି ରହିଛି ।

ଏଭଳି ସାମ୍ପ୍ରତିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ, ଆସିକା ଏସଡିପିଓ ଉମା ଶଙ୍କର ସିଂ, ଆସିକା ଥାନା ଅଧିକାରୀ ପି.ସ୍ୱରୁପ କିଶାନ, କୋଟିନଡା ଥାନା ଅଧିକାରୀ କୃଷ୍ଣ ସାହା, ଖାରିଆ ପଚାଂୟତ ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଦିଲ୍ଲୀପ ସାହୁ, ସନ୍ୟାସୀ ନାହକ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଆସିଲେ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହେଉଛି । ମହିଳା ଓ ଝିଅ ମାନଙ୍କ ଶରୀରରେ ପ୍ରେତ ଆତ୍ମା ଆସିଲେ ଗ୍ରାମରେ ଗୁଣି ଗାରେଡି ହୋଇଥିବା ପ୍ରତିକ୍ରିୟା ମିଳିଛି ।

Leave A Reply

Your email address will not be published.