BJP celebrates partition smruti diwas at AskaBJP celebrates partition smruti diwas at Aska

ଆସିକା,୧୪/୮ (ମନୋଜ କୁମାର ନାୟକ ) – ଭାରତୀୟ ଜନତା ପାର୍ଟୀ ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ ବିଭାଜନ ବିଭୀଷିକା ସ୍ମତି ପାଳିତ ହୋଇଛି । ସ୍ୱାଧୀନତା ଦିବସର ପୂର୍ବଦିନ ଅର୍ଥାତ ଆଜି ଆମ ଦେଶରେ ବିଭାଜନ ବିଭୀଷିକା ସ୍ମତି ଦିବସ ପାଳନ କରାଯାଉଛି ।

୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଲକ୍ଷ ଲକ୍ଷ ଦେଶବାସୀଙ୍କର ଦୁଃଖ ଓ ଯନ୍ତ୍ରଣାକୁ ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ୨୦୧୧ ମସିହାରୁ ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖରେ ଏହି ଦିବସ ପାଳନ କରାଯାଉଛି । ଧର୍ମ ଆଧାରରେ ବ୍ରିଟିଶ ଶାସନାଧୀନ ଭାରତର ବିଭାଜନ ଘଟି ଭାରତ ଓ ପାକିସ୍ତାନ ପରି ଦୁଇଟି ସ୍ୱତନ୍ତ୍ର ଦେଶ ଗଠିତ ହୋଇଥିଲା ।

ଦୁଇ ନୂଆ ଦେଶରେ ସଂଘଟିତ ହିଂସାରେ ପ୍ରାୟ ୧୦ ରୁ ୨୦ ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ । ଏଥିରେ ୨ ଲକ୍ଷରୁ ୨୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ତାହା ଦେଶବାସୀଙ୍କ ପାଇଁ ସ୍ୱାଧୀନତା ସଂଗ୍ରାମଠୁ ବି ବଳି ଯନ୍ତ୍ରଣାଦାୟକ ଥିଲେ ।

ଅଗଣିତ ଲୋକଙ୍କୁ ନିଜର ଭିଟାମାଟି ଛାଡି ନିଜ ଦେଶରେ ଶରଣାର୍ଥୀ ଭାବରେ ରହିବାକୁ ପଡିଲା । ବିଭାଜନର ଏତେ ଦିନ ପରେ ବି ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ଦେଶବାସୀଙ୍କ ପୀଡା ଉଜ୍ଜୀବିତ ହୋଇ ରହିଛି ।

କିଛି ସ୍ୱାର୍ଥନ୍ୱେଷୀ ମାନଙ୍କ ଯୋଗୁଁ ଦେଶର ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ଶହୀଦ ମାନଙ୍କ ଅଖଣ୍ଡ ଭାରତର ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ସେମାନଙ୍କୁ ଏବଂ ବିଭାଜନର ଶିକାର ହୋଇଥିବା ଦେଶବାସୀଙ୍କୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ ଏହି ଦିବସ ପାଳନ କରାଯାଉଛି । ଏହା ଆମ ମନରୁ ସାମାଜିକ ବିଭାଜନର ବିଷକୁ ହଟାଇ ଐକ୍ୟ, ସାମାଜିକ ସୈାହାର୍ଦ୍ଧ୍ୟ ଓ ମାନବ ସଶକ୍ତିକରଣର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଲାଗି ଚେତାଇ ଦେଇଥାଏ ।

ଏହି ଅବସରରେ ଆସିକା ସହରରେ ବିଜେପି ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜିର ଦିନରେ ଭାରତକୁ ବିଭାଜନ କରାଯାଇଥିଲା । ତେଣୁ ବିଭାଜନ ବିଭୀଷିକାକୁ ଭାରତ ବର୍ଷର ସମସ୍ତ ନାଗରିକ ଜାଣିବା ଆବଶ୍ୟକ ବୋଲି ଶୋଭାଯାତ୍ରା ବେଳେ ମତବ୍ୟକ୍ତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ବିଭାଜନ ବିଭୀଷିକା ସ୍ମୃତି କମିଟି ଘୁମୁସର ଜିଲ୍ଲା ସଂଯୋଜକ ମହେଶ ମହାନ୍ତି, ପ୍ରଦୀପ ପତ୍ରୀ, ନାରାୟଣ ବେହେରା, ସୂର୍ଯ୍ୟନାରାୟଣ ଦାଶ, ନୀଳମଣି ବିଷୋୟୀ, ଅରୁଣ ପଣ୍ଡା, ରଞ୍ଜନ ପୋଲାଇ, ସନ୍ତୋଷ ବିଶ୍ୱାଳ, ଗିରିଜା ପ୍ରସାଦ, ମୂରଳୀଧର ପାଣିଗ୍ରାହୀ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।

ଏହି କ୍ୟାଣ୍ଡଲ ଶୋଭାଯାତ୍ରା ଆସିକା ଟାଉନ ହଲ ଠାରେ ବାହାରି ବିଜେପି କାର୍ଯ୍ୟାଳୟ ଠାରେ ପହଁଚି ଥିଲା । ଏଥିରେ ବିଜେପିର ବହୁ କର୍ମୀ କ୍ୟାଣ୍ଡଲ ଧରି ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।