ଆସିକା ବ୍ଲକ ଘେରିଲେ ଶତାଧିକ କଂଗ୍ରେସ

0 303

ଆସିକା,୧୮/୮(ମନୋଜ କୁମାର ନାୟକ) – ରାଜ୍ୟରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ । ପି.ସି.ସି ସଭାପତି ଶରତ ଚନ୍ଦ୍ର ପଟ୍ଟାନୟକଙ୍କ ନିର୍ଦ୍ଧେଶକ୍ରମେ ସମସ୍ତ ୩୧୪ ଟି ବ୍ଲକରେ ଆଜି କଂଗ୍ରେସ ବ୍ଲକ ଘେରାଉ କରିଛି । ଆସିକା ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ ବ୍ଲକ ଘେରାଉ କରାଯାଇଛି । ଆସିକା ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ବ୍ଲକ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ୯ ଦଫା ଦାବୀ ସମ୍ଭଳୀତ ପତ୍ର ସ୍ଥାନୀୟ ବିଡିଓ ଫକୀର ଚରଣ ପରିଡାଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଏହି ଦାବୀ ପତ୍ରରେ ୧୫ ରୁ ୫୦ ପ୍ରିତିଶତ ପର୍ଯ୍ୟନ୍ତ ପି.ସି କାରବାର ବଳବତ୍ତର ରହିଥିବା କଂଗ୍ରେସ ଦାବୀ କରିଛି । କୈାଣସି ଗୋଟିଏ ହେଲେ କାର୍ଯ୍ୟ ବିନା ପି.ସି ରେ ହେଉ ନାହିଁ ବୋଲି ଅଭିଯୋଗ କରାଯାଇଛି । ରାଜ୍ୟ ସରକାର ଏବେ ପ୍ରତି ପଚାଂୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ସ୍ଥିର କରିଛି । ଏହି ଅନୁଦାନ ସିଧାସଳଖ ପଚାଂୟତକୁ ନଯାଇ ବିଭାଗୀୟ ତଦାରଖରେ ଖର୍ଚ୍ଚ ହୋଇ ବ୍ୟାପକ ଦୁର୍ନୀତି କରାଯିବାକୁ ଯୋଜନା ହୋଇଥିବାରୁ ଦଳ ଏହାକୁ ଦୃଢ ବିରୋଧ କରିଛି । ଏଠାରେ ୫୦ ଲକ୍ଷ ଟଙ୍କା ସିଧାସଳଖ ପଚାଂୟତ କାର୍ଯ୍ୟାଳୟକୁ ଦେବା ଲାଗି କଂଗ୍ରେସ ଦଳ ଦାବୀ ଉଠାଇଛି ।

ରାଜ୍ୟରେ ଲକ୍ଷ ଲକ୍ଷ ପୁଅ, ଝିଅ ଶିକ୍ଷା ଲାଭ ପରେ ବେକାର ବୁଲୁଛନ୍ତି । ସେମାନଙ୍କୁ କୈାଣସି ପ୍ରକାରେ ନିଯୁକ୍ତି ମିଳୁନାହିଁ । ରାଜ୍ୟ ସରକାରଙ୍କ ଅଧୀନରେ ଏବେ ୨ ଲକ୍ଷ ୨୬ ହଜାର ପଦବୀ ଖାଲି ରହିଛି । ସେଗୁଡିକୁ ପୂରଣ ପାଇଁ ଓଡିଶାର ଯୁବକ ଯୁବତୀ ମାନଙ୍କୁ ସୁଯୋଗ ଦେବା ଲାଗି କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି ।

ଓଡିଶା ଏକ ବଳକା ବିଦ୍ୟୁତ ରାଜ୍ୟ ହୋଇଥିବା ବେଳେ ଏଠାରେ କାହିଁକି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇନାହିଁ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରିଛି । ରାଜ୍ୟରେ ଯେଉଁ ଉପଭୋକ୍ତା ମାନେ ବିଜୁଳୀ ବ୍ୟବହାର କରୁଛନ୍ତି, ସେମାନଙ୍କ ମଧ୍ୟରେ ସର୍ବାଧିକ ସାଧାରଣ ଉପଭୋକ୍ତା ରହିଛନ୍ତି । ବଳକା ବିଦ୍ୟୂତ ରାଜ୍ୟରେ ଶିଳ୍ପ ସଂସ୍ଥା ନଥାଇ କାହିଁକି ବିଜୁଳୀ କାଟ ହେଉଛି ବୋଲି ସରକାରଙ୍କୁ କଂଗ୍ରେସ ପ୍ରଶ୍ନ କରିଛି ।

ବିଜେଡି ଓ ଭାଜପା ମିଳିମିଶି ରାଜ୍ୟକୁ ଲୁଟ କରିବା ପାଇଁ ଉଦ୍ୟମ କରୁଛି । ଏବେ ଉଭୟ ଦଳ ଓଡିଶାରେ ଆଗୁଆ ନିର୍ବାଚନ ପାଇଁ ଯୋଜନା କରୁଛନ୍ତି । ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ସହିତ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବହୁ ଗୁଣିତ କରିଛନ୍ତି ।

ରାଜ୍ୟ ସରକାର ୨୦୦୫ ମସିହାରେ ରାଜ୍ୟର ସମସ୍ତ ବ୍ଲକରେ ୩୫ପ୍ରତିଶତ ଜମିକୁ ଜଳସେଚନ କରିବାକୁ କହିଥିଲେ । ତାହା କୁଆଡେ ଗଲା ବୋଲି ପଚରା ଯାଇଥିଲା । ୨୪ ବର୍ଷ ମଧ୍ୟରେ ରାଜ୍ୟରେ କେତୋଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯାଇଛି, ତାହାର ହିସାବ ମାଗିଛି କଂଗ୍ରେସ ।

କଂଗ୍ରେସ ଶାସନ କାଳର ହିରାକୁଦ, ଇନ୍ଦ୍ରାବତୀ ଭଳି ବହୁ ବୃହତ ଜଳଭଣ୍ଡାର ସ୍ଥାପନ ସହ ଏକାଧିକ ଜଳ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା । ୨୪ ବର୍ଷ ମଧ୍ୟରେ ସରକାର କେତେ ଜଳଭଣ୍ଡାର ଓ ବିଦ୍ୟୁତ ପ୍ରକଳ୍ପ କରିଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାଇ ଦେବାକୁ ଆସିକା ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁାମର ରାଉତ ଦାବୀ କରିଥିଲେ ।

ଆଜି ଦିନ ତମାମ ବର୍ଷା ସତ୍ୱେ ଆସିକାରେ କଂଗ୍ରେସ ଦଳ ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା ।

Leave A Reply

Your email address will not be published.