ବରିଡା -ଏ ଗ୍ରାମରେ ସାମାଜିକ ବାସନ୍ଦ, କୁତ୍ସିତ ପ୍ରଥାରେ ୧୫ ପରିବାର ଶିକାର

0 159

କବିସୂର୍ଯ୍ୟନଗର,୭/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଏକ ବ୍ୟାଧୀ ପରି ମାଡି ଚାଲିଛି । କେଉଁଠି ଅନ୍ୟ ଜାତିରେ ବିବାହକୁ ନେଇ ବାସନ୍ଦ ତ ଆଉ କେଉଁଠି ରାଜନୈତିକ କଥାକୁ ନେଇ ସାମାଜିକ ବାସନ୍ଦ ଭଳି ଘଟଣା ଘଟୁଛି । ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି ।

ଏକ ବିଂଶ ଶତାଦ୍ଧୀରେ ଆମେ ପହଁଚି ସାରିଲେଣି । ଦେଶ ସ୍ୱାଧୀନତା ହେବାର ୭୪ ବର୍ଷ ମଧ୍ୟ ହେଲାଣି । ହେଲେ ଏବେ ବି ଲୋକଙ୍କ ମନରେ ଅନେକ କୁପ୍ରଥା ରହିଛି । ସାମାନ୍ୟ ଭୁଲ ପାଇଁ ଗାଁରୁ ତଡିପାର, ଜାତିରୁ ବାସନ୍ଦ, ନ ହେଲେ ନିଆଁ ପାଣି ବାସନ୍ଦ । ଗଞ୍ଜାମ ଜିଲ୍ଲାରେ ଏବେ ଏଭଳି କୁତ୍ସିତ ପ୍ରଥା କାୟା ବିସ୍ତାର କରିବାରେ ଲାଗିଛି । ଯାହା ଏବେ ସବୁଠୁ ଚିନ୍ତାଜନକ ବିଷୟ ହୋଇଛି ।

ଭିନ୍ନ ଜାତିରେ ବିବାହ କରିବାରୁ ଏବେ ଖୋଦ ପୋଲିସ ବିଭାଗରେ କାର୍ଯ୍ୟକରୁଥିବା ଜଣେ କନେଷ୍ଟବଳଙ୍କ ପରିବାର ବାସନ୍ଦ ଭଳି କୁପ୍ରଥାର ଶିକାର ହେବାକୁ ପଡିଛି । ସେମାନେ ଗାଁରେ କାହା ସହିତ ମିଶି ପାରୁଛନ୍ତି ନା’ କୈାଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରୁଛନ୍ତି । ପୋଲିସ କର୍ମଚାରୀଙ୍କ ପରିବାର ଏବେ ଗାଁ ଛାଡି ବାହାରେ ରହୁଥିବା ବେଳେ ଅପମାନର ଜ୍ୱାଳାରେ ଘାଟିଂ ହେଉଛନ୍ତି । ଶେଷରେ ନିରୁପାୟ ହୋଇ ପରିବାରର ବାପା କବିସୂର୍ଯ୍ୟନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସେହିଭଳି ଗ୍ରାମର ଜଣେ ଯୁବକ ସମାଜ ସଂସ୍କାର ପାଇଁ ଏକ ସ୍ୱାକ୍ଷର ସମ୍ଭଳିତ ଦାବୀ ପତ୍ରରେ ନିଜର ଦସ୍ତଖତ କରିଥିଲେ । ଏହି ଦସ୍ତଖତ ପାଇଁ ତାଙ୍କୁ ସମାଜରୁ ବାସନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି । ସମାଜରେ ନୂତନ ସଂସ୍କାର ଓ ପରବର୍ତନ ପାଇଁ ଜଣାଇବା କଣ ଭୁଲ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆଉ ଜଣେ ବ୍ୟକ୍ତି ନିଜର ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀ ମଧ୍ୟରେ କିଛି ମନୋମାଳିନ ଘଟଣା ଘଟିଥିଲା । ଏଥିରେ ସମାଜ ଉଚିତ ନ୍ୟାୟ ପ୍ରଦାନ ନ କରି ତାଙ୍କୁ ମଧ୍ୟ ସମାଜରୁ ବାସନ୍ଦ କରିଛନ୍ତି ।

ବରିଡା–ଏ ଗ୍ରାମରେ କୁଳ ସମାଜ ପକ୍ଷରୁ ଏକ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଥିରେ ଗ୍ରାମର କିଛିି ବ୍ୟକ୍ତି ଦାବୀ ପତ୍ର ପ୍ରଦାନ କରିଥିଲେ । ଯେଉଁଥିରେ କୁଳର ପ୍ରତିଷ୍ଟିତ ବ୍ୟକ୍ତି ମାନେ ବିରୋଧ କରି ଗ୍ରାମର ପ୍ରାୟ ୧୫ ପରିବାର ଲୋକଙ୍କୁ ବାସନ୍ଦ କରିଛନ୍ତି । ଯାହାକୁ ନେଇ ଏବେ ଗ୍ରାମବାସୀ ଜିଲ୍ଲାପାଳ ଓ ମାନବ ଅଧିକାରଙ୍କ ନିକଟରେ ଦ୍ୱାରସ୍ଥ ହେବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି ।

ବରିଡା-ଏ ଗ୍ରାମର ଜଣେ ଯୁବକ ପେଶାରେ ଅଟୋ ଡ୍ରାଇଭର । ସମାଜର ସଂସ୍କାର ପାଇଁ ନିଜ ଅଟୋ ଜରିଆରେ ମାଇକ ଯୋଗେ ସଚେତନତା ବାର୍ତା ପାଇଁ ପ୍ରଦାନ କରିଥିଲେ । ଏଥିପାଇଁ ତାଙ୍କୁ ମଧ୍ୟ ବାସନ୍ଦ କରିଥିବା ଅଭିଯୋଗ କରାଯାଇଛି ।

ଏନେଇ ବରିଡା-ଏ ଗ୍ରାମର କୁଳ ମୁଖ୍ୟଙ୍କୁ ପଚାରା ଯିବାରୁ ସେ ତାଙ୍କ ପ୍ରତିକ୍ରିୟାରେ ଆମେ ବାସନ୍ଦ କରି ନଥିବା ଜଣାଇଛନ୍ତି । ସମାଜ ନିତୀ ନିୟମ ବିରୋଧରେ ଆସିଥିବାରୁ ସେମାନଙ୍କୁ ସମାଜରୁ ନିଲମ୍ବନ କରାଯାଇଛି ବୋଲି ପ୍ରତିକ୍ରିୟା ରଖିଥିଲେ । ଯେତେ ଦିନ ପର୍ଯ୍ୟନ୍ତ ସେମାନେ ଏଭଳି କରିବେ ସେତେ ଦିନ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ସମାଜରୁ ନିଲମ୍ବନ ଆଦେଶ ରହିବ ବୋଲି କହିଥିଲେ ।

ଗଞ୍ଜାମ ଜିଲ୍ଲାରେ ଏବେ ବାସନ୍ଦ ଭଳି ପ୍ରଥା ସମସ୍ତଙ୍କୁ ଦୟନୀୟ ପରିସ୍ଥିତିକୁ ଟାଣି ନେଇଛନ୍ତି । ବିଜ୍ଞାନର ଅଗ୍ରଗତି ଯେତେ ଅଧିକ ହୋଇଛି , ସେତେ ପରିମାଣରେ ଅନ୍ଧ ବିଶ୍ୱାସ, କୁସଂସ୍କାର ଭଳି ଘଟଣା ଦେଖିବାକୁ ମିଳୁଛି । ଏତେ ସବୁ ଘଟଣା ପରେ ସାମାଜିକ ବାସନ୍ଦ ଭଳି କୁତ୍ସିତ ପ୍ରଥା ନ ହଟିବା ଓ ବୁଢିଆଣି ଜାଲ ଭଲି ମାଡି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯିବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.